
- ଭାଷା ଭାବ ବିନିମୟର ସଶକ୍ତ ମାଧ୍ୟମ
- ଭାଷା ହେଉଛି ନିଃଶ୍ୱାସ ଓ ସଂସ୍କୃତି ହେଉଛି ବିଶ୍ଵାସ
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଓ ସାରସ୍ଵତ ସମାରୋହ ବାସନ୍ତୀ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦାଶଙ୍କ ସଭାପତିତ୍ୱ, ସମ୍ପାଦକ ବିଜୟ କୁମାର ସାହୁଙ୍କ ଆବାହକତ୍ଵ ଓ ନିରୁପମା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି, ଗାଳ୍ପିକା ତଥା ସାହିତ୍ୟିକା ସ୍ନିଗ୍ଧା ନାୟକ ମୁଖ୍ୟବକ୍ତା ଓ ଡ଼ଃ. ସୁବାସ ଚନ୍ଦ୍ର ଲେଙ୍କା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଶାର ଭାଷା ଓ ଭାଷାନ୍ତର ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଭାଷା ଭାବ ବିନିମୟର ସଶକ୍ତ ମାଧ୍ୟମ । ଭାଷା ସବୁବେଳେ ପରିବର୍ତ୍ତନଶୀଳ, ସଂଚଳୀନଶୀଳ ଓ ଭାଷାନ୍ତର ନିହାତି ଜରୁରୀ । ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ରଖି ଅପସଂସ୍କୃତିକୁ ଦୂରେଇ ରଖିବା ଦରକାର । ଭାଷା ହେଉଛି ନିଃଶ୍ୱାସ ଓ ସଂସ୍କୃତି ହେଉଛି ବିଶ୍ଵାସ । ସମ୍ପ୍ରତି ଭାଷା ବିଚ୍ୟୁତ ହେଉଥିବାରୁ ଭାଷାନ୍ତରର ଆବଶ୍ୟକତା ରହିଛି । ଏହା ସହ ଭାଷାର ଉତ୍ପତ୍ତି ଓ ତାର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଉପସଭାପତି ରମେଶ ଚନ୍ଦ୍ର ବାରିକ ସ୍ୱାଗତ ଭାଷଣ, ସାଧାରଣ ସମ୍ପାଦକ ଶ୍ରୀ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ଓ ଲକ୍ଷ୍ୟ, ସଭାପତି ଶ୍ରୀ ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ରାଜେନ୍ଦ୍ର ପଣ୍ଡା ଭାଷା ସାହିତ୍ୟ ସଂସ୍କୃତି ଓ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲାବେଳେ ଅନ୍ୟତମ ଆବାହକ ତଥା କାର୍ଯ୍ୟକ୍ରମର ସଂଯୋଜକ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟଶୟର କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ପଟ୍ଟନାୟକ ସଭାପତିତ୍ୱ କରିଥିଲାବେଳେ ନିରଞ୍ଜନ କରଣ ସମ୍ମାନିତ ଅତିଥି ଓ ଶ୍ୱେତଲିନା ଶତପଥୀ, ସୁଚିସ୍ମିତା ପଣ୍ଡା ତଥା ସବିତା ପରିଡ଼ାଙ୍କ ସଂଯୋଜନାରେ କବି ବିଜୟ ସାହୁ, ସ୍ନେହପ୍ରିୟ ବଳ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ, ସଂଗ୍ରାମ ସିଂ ସାମଲ, ସତ୍ୟନାରାୟଣ ଦାଶ, ସୁନିଲ କୁମାର ଦାଶ, ଭୀମସେନ ସାହୁ, ସୁବାସ ଲେଙ୍କା, ଦେବେନ୍ଦ୍ର କୁମାର ବଳ, ନିରୁପମା ନାୟକ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁଚରଣ ମହାନ୍ତିଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ସୁଶ୍ରୀ ଆରାଧ୍ୟା ଦାଶ ନୃତ୍ୟ ପରିବେଷଣ ଓ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଶର୍ମିଷ୍ଠା କବିଶତପଥୀଙ୍କୁ ରାଉରକେଲା ସାରସ୍ଵତ ସମ୍ମାନ ୨୦୨୬ରେ ସମ୍ମାନିତ କରାଯାଇଥିଲା । ସେହିପରି ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସ୍ନେହା ସାହୁ, ସଂଯୁକ୍ତା ସାହୁ ପରିଚାଳନାରେ ସହଯୋଗ କରିଥିଲାବେଳେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।