jayashree

ପୁଣି ହଷ୍ଟେଲ ଫି’ ଆଦାୟକୁ ନେଇ ତାତିଲା ଭଞ୍ଜବିହାର : ଛାତ୍ରଛାତ୍ରୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଜବନୀତି । ବର୍ଷେ ତଳେ ଯାହା ଛାଡ କରିଥିଲେ, ଏବେ ତାହା ପୁଣି ଆଦୟ କରୁଛନ୍ତି । ‘ହଷ୍ଟେଲ ଛାଡିବା ସମୟରେ କସନ ଟଙ୍କା ଆଦାୟକୁ ନେଇ ବିଭ୍ରାଟ ଦେଖାଦେଇଛି । ମୌଳିକ ସୁବିଧା ଯୋଗାଇଦେବା ପାଇଁ ମଧ୍ୟ ବିଭିନ୍ନ ସମୟରେ ଦାବି ଉଠିଆସୁଛି । ଏନେଇ ଆଜି ବିଶ୍ୱବିଦ୍ୟାଳୟର ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ କୁଳପତି ପ୍ରଫେସର ଡ଼ଃ. ଗୀତାଞ୍ଜଳି ଦାସଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ସାଧାରଣ ଚାଷୀ ମୂଲିଆ ଗରିବ ଘରରୁ ଦୂରଦୂରାନ୍ତରୁ ଏଠି ଉଚ୍ଚଶିକ୍ଷା ନିମନ୍ତେ ପଢିବା ପାଇଁ ଆସିଥାନ୍ତି । ତେବେ ବର୍ତ୍ତମାନ କସନ ଟଙ୍କାରୁ ୭୦୦ ଟଙ୍କା କଟାଯିବାକୁ ନେଇ ସେମାନଙ୍କ ଉପରେ ଚଡ଼କ ପଢିଛି । ଓଡ଼ିଶାର ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଆଡେ ଅଧିକ ହଷ୍ଟେଲ ଫି ଆଦାୟ କରୁଛନ୍ତି ବୋଲି ଶହ ଶହ ଛାତ୍ରଛାତ୍ରୀ ବର୍ଷେ ତଳେ ଆନ୍ଦୋଳନକୁ ଓହ୍ଲାଇଥିଲେ, ଯାହାଫଳରେ ବିଶ୍ୱବିଦ୍ୟାଳୟ ନାକେଦମ ହୋଇ ଫି କମେଇବାକୁ ବାଧ୍ୟ ହୋଇଥିଲେ । ଏବଂ ହଷ୍ଟେଲ ରି-ଆଡମିସନ ଫି ୭୦୦ ଟଙ୍କା କମେଇ ବିଶ୍ଵବିଦ୍ୟାଳୟ ଏକ ନୋଟିସ ଜାରି କରିଥିଲେ । ସେ ଅନୁଯାୟୀ ସମସ୍ତେ ଛାତ୍ରଛାତ୍ରୀ ୭୦୦ ଟଙ୍କା କମେଇ ହଷ୍ଟେଲ ଫି ବାନ୍ଧିଥିଲେ । ତେବେ ପୁଣି ବର୍ଷ ଶେଷରେ ନିଜ କଥାରୁ ଓହରିଯାଇଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି । ସେ କଥା କୁଆଡେ ବିଧିବଦ୍ଧ ନଥିଲା ବୋଲି ପୁଣି କହିଛନ୍ତି । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କସନ ଟଙ୍କାରୁ ୭୦୦ ଟଙ୍କା ଆଦାୟ କରାଯିବାକୁ ନେଇ ସିଣ୍ଡିକେଟରେ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଏବେ ସମସ୍ତେ କହୁଛନ୍ତି କଥାଦେଇ ଓହରିଗଲେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବୋଲି ଭଞ୍ଜବିହାର କ୍ୟାମ୍ପସରେ ଜୋରଦାର ଆଲୋଚନା ଚାଲିଛି । ତେବେ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଛାତ୍ର ନେତା ଇଜୁ ଅମିନ ଖାନଙ୍କ ନେତୃତ୍ୱରେ ସନ୍ତୋଷ କୁମାର ବେହେରା, ଅନିରୁଦ୍ଧ କୁମାର ରାଣା, ନୀଳାଞ୍ଚଳ ମହାନ୍ତି, ମନିଷା କହଁର, ଆଫିଆ ଖାନୁନ୍, ବାଲ୍ମୀକି ସେଠୀ, ଏନ୍. କାମରାଜୁ ପାତ୍ର, ବିକାଶ ପ୍ରଧାନ ଓ ଅଭିଜିତ ଚିଛନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.