pr

ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରସଙ୍ଗରେ ସାହିତ୍ୟ ଆସର

dr. purohit
  • ଜାତୀୟତା ପ୍ରାଣରେ ଉଦବୁଦ୍ଧ ହୋଇ ବ୍ରିଟିଶ ବିରୁଦ୍ଧରେ ଲଢ଼ିଥିବା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ମୁକ୍ତିସଂଗ୍ରାମ ଅଦ୍ୱିତୀୟ : ବିଭିନ୍ନ ବକ୍ତାଙ୍କ ମତପ୍ରକାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଛତ୍ରପୁର ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରସଙ୍ଗ ଭିତ୍ତିକ ଓ ପ୍ରସ୍ତୁତି ଉପରେ ଏକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମର ସେମିନାର ହଲରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଗୀତ ଭୂଷଣ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ବେଦଧ୍ୱନି ଓ ମନ୍ତ୍ରପାଠ କ୍ରମେ ବିଶ୍ୱନିୟନ୍ତା ଭଗବାନ ଶ୍ରୀ ଜଗନ୍ନାଥ ପ୍ରତିକୃତ୍ତିରେ ମାଲ୍ୟାର୍ପଣ ସହ ଧୂପଦୀପ ଜଳାଇ ଏହାକୁ ଆନୁଷ୍ଠାନିକ ଭାବେ ଅତିଥିମାନେ ଉନ୍ମୋଚନ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ ସେଠୀଙ୍କ ସଂଯୋଜନାରେ ତାଙ୍କ ଛାତ୍ରଛାତ୍ରୀଗଣଙ୍କ ଦ୍ୱାରା ଦେଶାତ୍ମବୋଧକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ଅତ୍ୟନ୍ତ ପ୍ରଶଂସନୀୟ ହୋଇଥିଲା । ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲୀପ କୁମାର ପଲେଇ ଅତିଥିମାନଙ୍କ ପରଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ଆଡଭୋକେଟ ବ୍ରଜମୋହନ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଥମ ଅଧିବେଶନରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଇଂ.ରାମଚନ୍ଦ୍ର ପଟ୍ଟନାୟକ ଉଦ୍‌ଘାଟନୀ ଭାଷଣ ପ୍ରଦାନ କରି ଉଦ୍ୟକ୍ତାଙ୍କ ଭୂୟସୀ ପ୍ରସଂଶା କରିଥିଲେ । ବରେଣ୍ୟ ଅତିଥି ଭାବେ ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦ ଦକ୍ଷିଣାଞ୍ଚଳ, ବ୍ରହ୍ମପୁରର ଉପ-ସଚିବ ଡ଼ଃ.କୁଳମଣି ଓଝା, ମୁଖ୍ୟବକ୍ତା ଭାବେ କଳିଙ୍ଗ ସାହିତ୍ୟ ସମାଜର ଉପ-ସଭାପତି ଡ଼ଃ ବନମାଳି ପାଣିଗ୍ରାହୀ, ମୁଖ୍ୟଅତିଥୀି ଭାବେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡ଼ା ପ୍ରମୁଖ ଯୋଗଦେଇ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିର ଅବଦାନ ଏକ ଅନନ୍ୟ ସ୍ମରଣୀୟ ବୋଲି ଆଲୋକପାତ କରିଥିଲେ । ଡ଼ଃ. ରାଜେନ୍ଦ୍ର ଦାସ ପ୍ରଥମ ଅଧିବେଶନ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ । ମଧ୍ୟାହ୍ନ ବିରତି ପରେ ଦ୍ୱିତୀୟ ଅଧିବେଶନରେ କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଉତ୍କଳ ବିଶ୍ୱ ବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ଅଧ୍ୟାପକ ଡ଼. ଭି.ରାଜେନ୍ଦ୍ର ରାଜୁ, ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ସୁଜିତ କୁମାର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ (ନରେନ୍ଦ୍ରପୁର) ପ୍ରାଧ୍ୟାପକ ଧରଣୀଧର ପଣ୍ଡା, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ, ବ୍ରହ୍ମପୁରର ଉପ-ସଚିବ ଡ଼ଃ.କୁଳମଣି ଓଝା ପ୍ରମୁଖ ଯୋଗଦେଇଥିଲେ । ଜାତୀୟ ମୁକ୍ତି ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ ଓ ଅବିସ୍ମରଣୀୟ । ପାରଳାଖେମୁଣ୍ଡିର ସୌରାମେଳି ଯାହା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନକୁ ଅତ୍ୟନ୍ତ ମହନୀୟ ଏବଂ ସ୍ମରଣଯୋଗ୍ୟ ବୋଲି ବିଶିଷ୍ଟ ବକ୍ତା ଡ଼ଃ.କୁଳମଣି ଓଝା ମତବ୍ୟକ୍ତ କରିଛନ୍ତି । ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବହୁ ସଂଗ୍ରାମୀ ନିଜ ଜୀବନକୁ ବାଜି ଲଗାଇ ବ୍ରିଟୀଶ ବିରୋଧରେ ଲଢ଼ିଥିଲେ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଅନେକ ସଂଗ୍ରାମୀ ପ୍ରାଣବଳି ଦେଇଥିଲେ । ଯାହା ଇତିହାସରେ ଅବିସ୍ମରଣୀୟ ଅଟେ ବୋଲି ଡ଼ଃ. ଓଝା ବିଶଦ ଆଲୋକପାତ କରିଥିଲେ । ପ୍ରକାଶ ଥାଉକି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଅଧୀନସ୍ଥ ପାଇକଶାଳାରେ ଯୁଦ୍ଧବିଦ୍ୟା ଶିକ୍ଷାକରି ପାଇକ ସେନାମାନେ ବ୍ରିଟିଶ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ବିଟିଶ ସାହେବଙ୍କୁ ତୋଡ଼ା ଜବାବ ଦେଇଥିଲେ । ଯାହା ଲିପିବଦ୍ଧ ଆଜି ଭାରତ ଇତିହାସରେ ମହନୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସଂପ୍ରତି ୧୭୬୭ ମସିହାରୁ ୧୮୩୪ ମସିହା ମଧ୍ୟରେ ହୋଇଥିବା ପାରଳାର ପାଇକସେନାଙ୍କ ଲଢ଼େଇ ଭାରତର ପ୍ରଥମ ସଂଗ୍ରାମ ବୋଲି ଉଲ୍ଲେଖଯୋଗ୍ୟ ବିବରଣୀ ଉପରେ ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ ଆଲୋକପାତ କରିଥିଲେ । ବହୁ ସଂଗ୍ରାମୀମାନେ ବଳିଷ୍ଠ ପରାକାଷ୍ଠା ପ୍ରତିପାଦନ କରିଥିବା ସୌରାମେଳିଙ୍କର ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଏ । ସର୍ବୋପରି ସୌରାମେଳିଙ୍କ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ହୋଇଥିବା ଯୁଦ୍ଧ ହେଉଛି, ଦେଶର ପ୍ରଥମ ପାଇକ ଯୁଦ୍ଧ ବୋଲି ତଥ୍ୟ ଆଧାରରୁ ଜଣାପଡ଼ିଛି ବୋଲି ବହୁବିଶିଷ୍ଟ ବକ୍ତାମାନେ ଆଲୋକପାତ କରିଥିଲେ । ତୃତୀୟ ଅଧିବେଶନରେ ଶିକ୍ଷକ କୃଷ୍ଣଚନ୍ଦ୍ର ଦାଶ୍ ଏବଂ ଇଂ.ଉପାସନା ଆଚାର୍ଯ୍ୟଙ୍କ ସଂଯୋଜନାରେ ସ୍ୱାଧୀନ ଚିନ୍ତନ ପରିଭାଷା ସମ୍ବଳିତ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ମନୋନୀତ ୨୦ରୁ ଅଧିକ କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିବା ସାଂଗକୁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ପୁରସ୍କାର ଗ୍ରହଣ କରିଥିଲେ । ଶେଷରେ ଛତ୍ରପୁର ସାହିତ୍ୟ ସଂସଦର ଉପ-ସଭାପତି କେ.ସତ୍ୟନାରାୟଣ ରେଡ୍ଡୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.