pakka

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା

bbehera
  • ତୋଳାଳୀ ପାଇଲେ ୧୦୦୦ ଟଙ୍କା, ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା
  • ଗରିବ ଲୋକର ଖୁସି ମୋର ସବୁଠାରୁ ବଡ ଖୁସି : ମୁଖ୍ୟମନ୍ତ୍ରୀ
  • ହିତାଧୀକାରୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଘୋଷଣା ଅନୁଯାୟୀ ଗତକାଲି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ ୧୦୦୦ ଟଙ୍କା ପାଇଥିବା ବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା । ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି । ହିତାଧିକାରୀଙ୍କ ଖାତାକୁ ୪୩ କୋଟି ଟଙ୍କା ଦିଆଗଲା । ଡିବିଟି ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ୟାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ୟ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନା ପାଣିର କଥା । ତେଣୁ ତା ଉପରେ ୧୮%ଜିଏସ୍‌ଟିକୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବୀ କରିଥିଲେ ।

ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, କନ୍ଧମାଳ, ବୌଦ୍ଧ, କେଉଁଝର ଦେବଗଡ଼ ଓ ବଲାଙ୍ଗିର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ହିତାଧିକାରୀ ଶାନ୍ତନୁ କୁମାର ଭୋଇ, ଝାରସୁଗୁଡ଼ାର ପୁଷ୍ପଲତା ଭଇଁଶା ଓ ନୂଆପଡ଼ାର ଇଶ୍ଵର ଶବରଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପିସିସିଏଫ୍‌ କେନ୍ଦୁପତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ତେଇଶ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏ ସହାୟତା ବିଷୟ ଘୋଷଣା କରିଥିଲେ ।

Leave A Reply

Your email address will not be published.

13 − 6 =