ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରୟାସ ଉଦ୍ୟମରେ ମିଳିଛି ବେଶ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରୟାସ ଉଦ୍ୟମରେ ବେଶ ସଫଳତା ମିଳିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମତବ୍ୟକ୍ତ କରିଛନ୍ତି । ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର କାର୍ଯ୍ୟକାରିତାକୁ ଭାରତ ବର୍ଷରେ ସୁନାମ ଆଣିଛି । ଓଡିଶାର ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି ବୋଲି ଅନୁଷ୍ଠିତ କର୍ମଶାଳାରେ ମତ ପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା କକ୍ଷ ଠାରେ ଶନିବାର “ଅନ୍ଧ ବିଶ୍ୱାସକୁ ମନା” ସମ୍ପର୍କିତ ଏକ କର୍ମଶାଳା ମହିଳା ଓ ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଡାହାଣୀ ପ୍ରଥା, ଗୁଣି ଗାରେଡି ଭଳି ଅନ୍ଧବିଶ୍ବାସ ପ୍ରଥା ନିରୋଧ ସମ୍ପର୍କିତ ସଚେତନତା କର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ୱରୀ ଦୋରା, ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ସଭାପତିତ୍ୱରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିଏସ୍‌ପି ସୁଜିତ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ତଥା ମାଷ୍ଟର ଟ୍ରେନର ବିଘ୍ନଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ଆଶୀର୍ବାଦ ରାଉତ ଜିଲ୍ଲାରେ ଡାହାଣୀ ପ୍ରଥା ଓ ଗୁଣି ଗାରେଡି ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରି ଜଣାଇଥିଲେ ଯେ, ବିଶେଷ କରି ର୍ଯ୍ୟସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସ ଉପରେ ଅଧିକ ବିଶ୍ୱାସ ରଖି ଥାଆନ୍ତି ଏବଂ ଅନ୍ଧ ବିଶ୍ୱାସର ପରିଣାମ ସ୍ୱରୂପ ଅନେକ ନିରୀହ ଲୋକଙ୍କ ଜୀବନ କଷ୍ଟମୟ ହେବା ସହିତ ଅସମୟରେ ଜୀବନ ଯାଉଛି । ଏଣୁ ବ୍ୟାପକ ସଚେତନତା ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଧାରଣା ଲୋକଙ୍କ ମଧ୍ୟରେ ଜାଗ୍ରତ ହୋଇ ପାରିଲେ ଏହିଭଳି କୁକର୍ମରୁ ଲୋକେ ବିରତ ରହିବେ । ନିଜସ୍ୱ ପରମ୍ପରା ହେଉ କିମ୍ବା ଡାହାଣୀ ଭଳି ଅନ୍ଧବିଶ୍ୱାସ ହେଉ ସେ ଉପରେ ଗୁରୁତ୍ବ ନ ଦେଇ ଆମେ ଯଦି ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଯତ୍ନଶୀଳ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ତେବେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ପୂର୍ବ ପ୍ରଚଳିତ ଅନ୍ଧ ବିଶ୍ୱାସଠାରୁ ଦୂରରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିବ । ଡାହାଣୀ ପ୍ରଥା ନିରୋଧ ଆଇନ୍ ୨୦୧୩ ଅନୁସାରେ ଥିବା ଦଣ୍ଡ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଏହି ପ୍ରଚଳିତ ଦଣ୍ଡବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ହେତୁ ଏହାର ସଂଶୋଧନ କରି ଆଇନ୍‌ର ଦଣ୍ଡ ବିଧାନକୁ କଠୋର କରାଯିବା ନେଇ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଗୁଣି ଗାରେଡି କିମ୍ବା ଡାହାଣୀ ସମ୍ପର୍କରେ ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ସମ୍ମାନ ଓ ପୁରସ୍କାର ରାଶି ଦେଇ ଉତ୍ସାହିତ କରିବା ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ ରହିଥିବା ହେତୁ ପ୍ରଶଂସା କରାଯାଇଥିଲା । କର୍ମଶାଳାଟିରେ ପୋଲିସ୍ ପ୍ରଶାସନ ପକ୍ଷରୁ ଡିଏସ୍‌ପି ସୁଜିତ କୁମାର ନାୟକ ଡାହାଣୀ କିମ୍ବା ଗୁଣିଗାରେଡି ରୋକିବା ସକାଶେ ଆଇନ ଶୃଙ୍ଖଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଆକ୍ସନଏଡ୍ ସଂଯୋଜକ ଦେବ ବ୍ରତ ମାହୁନ୍ତ ଆଇନର ବିଭିନ୍ନ ପରିସର ଏବଂ ଏହାର ଦଣ୍ଡ ବିଧାନ ସମ୍ପର୍କିତ ବିଭିନ୍ନ ପରିଧି ବିଷୟ ନେଇ ଅବଗତ କରାଇଥିଲେ । ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ପୁରୁଷୋତ୍ତମ ସେଠୀ, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲାର ସମସ୍ତ ଶିୁଶୁ ବିକାଶ ଯୋଜନା ଅଧି୍କାରୀ ପ୍ରମୁଖ, ୱାନ୍ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମହାବିଦ୍ୟାଳୟର ଛାତ୍ରୀ, ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.