
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ କୁତୁର୍ଲା ସ୍ଥିତ ସୁରଧନୁ ଉଚ୍ଚ ବିଦ୍ୟାଳୟରେ ଚାଇଲ୍ଡ ହେଲ୍ପ ଲାଇନ ତରଫରୁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁରଧନୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଦର୍ଶିନୀ ମାଝୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜମ୍ବୁବତୀ ମାଝୀ, ଗୋପାଳ ଚନ୍ଦ୍ର ବସ୍ତିଆ, ପାଣ୍ଡବ ବାରିକ, ସୁଶ୍ରୀ ସଙ୍ଗୀତା ବାବୁ, ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ମିଶନ ବାତ୍ସଲ୍ୟ ଯୋଜନା ଉପରେ ଆନୁଷ୍ଠାନିକ ଯତ୍ନ ଓ ଅଣ ଆନୁଷ୍ଠାନିକ ଯତ୍ନ ଉପରେ ଏବଂ ଶିଶୁ ସୁରକ୍ଷାର ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇଥିଲେ । ଏହି ସଚେତନତା ସଭାରେ ଚାଇଲ୍ଡ ହେଲ୍ପ ଲାଇନର ଟୋଲ୍ ଫ୍ରି ନମ୍ବର ୧୦୯୮ରେ ଶିଶୁମାନେ ଅସୁରକ୍ଷିତ ଅବସ୍ଥାରେ ଥିଲେ କିଭଳି ଭାବେ ଉପଯୋଗ କରିପାରିବେ ସେହି ବିଷୟରେ ଅବଗତ କରାଇଥିଲେ । ବାଲ୍ୟବିବାହ, ଶିଶୁ ଶ୍ରମିକ, ପୋକ୍ସୋ ଆକ୍ଟ ମଧ୍ୟ ଶିଶୁ ମାନଙ୍କୁ ଜଣାଇ ଦିଆଗଲା । ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନ, କେଶୱାର କର, ସୁଦନ ଖମାରୀ, ଶୁଭମ୍ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବସନ୍ତ ହରପାଲ ଧନ୍ୟବାଦ ଅର୍ପଣ କରିଥିଲେ ।