
- ଦେଓଗାଁ ବ୍ଲକରେ ଜମୁଛି ରାଜନୀତି
ଦେଓଗାଁ, (ମନୀଷ କୁମାର ସାହୁ) : ୨୪ ବର୍ଷର ବିଜେଡ଼ି ସରକାର ଅମଳରୁ ଦୁଇ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ସୋନଗଡ ବ୍ୟାରେଜ ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି । ତେବେ ଏହି ଅନୁଦାନ ଆସିବା ପରେ ଏହାର ଶ୍ରେୟ ନେବା ପାଇଁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି କଂଗ୍ରେସ ଲଢେଇ କଲେଣି । ତେବେ ୨୦୦୭ ମସିହାର ଜିଲ୍ଲା ପରିଷଦ ସଭ୍ୟା ରୀନା ମେହେରଙ୍କ ଜରିଆରେ ତତ୍କାଳୀନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେଡ଼ି ନେତା ଲକ୍ଷ୍ମଣ ମେହେର ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣର ଦାବୀ କରିଥିଲେ । ଏପରିକି ଏହି କୋଡିଏ ବର୍ଷ ଭିତରେ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯେତେ ନେତା ମନ୍ତ୍ରୀ ଆସିଛନ୍ତି କିଛି ଲୋକଙ୍କୁ ନେଇ ଦାବୀପତ୍ର ଦେଇ ଆସୁଥିଲେ । ଏପରିକି କଂଗ୍ରେସ ଦଳରେ ଥିବା ବେଳେ ନରସିଂହ ମିଶ୍ରଙ୍କୁ ନେଇ ବ୍ୟାରେଜ ଦାବୀ କରାଉଥିଲେ ହେଲେ ରାଜନୀତିକ ପସାପାଲିରେ ପଡ଼ି ବ୍ୟାରେଜ ନାଲି ଫିତା ତଳେ ରହିଥିଲା । ଏବେ ବିଧାୟକ ଓ ସରକାର ବଦଳିବା ପରେ ବ୍ୟାରେଜ ନିର୍ମାଣ ପାଇଁ ୯୧ କୋଟି ଆସିଛି । କଂଗ୍ରେସ ଦଳ ପୂର୍ବ ବିଧାୟକଙ୍କ ସମୀକ୍ଷା, ବ୍ୟାରେଜ ନିର୍ମାଣ ସ୍ଥଳ ପରିଦର୍ଶନ ବିଧାନସଭାରେ କରିଥିବା ପ୍ରଶ୍ନକୁ ନେଇ ସୋସିଆଲ ମିଡିଆରେ ଶ୍ରେୟ ପାଇ ପ୍ରଚାର କରୁଥିବା ବେଳେ ବିଜେଡ଼ି ଦଳ ବଲାଙ୍ଗିର ବିଧାୟକଙ୍କ ଉଦ୍ୟମରେ ବ୍ୟାରେଜ ଦାବୀ ଜୀବନ୍ୟାସ ପାଇଛି ନିଜ ସ୍ୱାର୍ଥ ନୁହେଁ ଲୋକଙ୍କ ସ୍ୱାର୍ଥ ପାଇଁ କାମ ହେଉଛି ବୋଲି ପ୍ରଚାରକ କରୁଛନ୍ତି । ଏପରିକି ବିଜେଡ଼ି ସାଧାରଣ ସମ୍ପାଦକ ଥିବା ଲକ୍ଷ୍ମଣ ମେହେର ମୁଖ୍ୟ ଶାସନ ସଚିବଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କୁ ଭେଟି ଦେଇଥିବା ଦାବୀପତ୍ରର ଫଟୋ ପୋଷ୍ଟ କରିଛନ୍ତି । ହେଲେ ସରକାରୀ ଦଳର ନେତା ମଧ୍ୟ ପଛରେ ପଡ଼ିନାହାନ୍ତି । ବଲାଙ୍ଗିର ସାଂସଦ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରୟାସରେ ପ୍ରକଳ୍ପ ମଞ୍ଜୁରୀ ପାଇଥିବାରୁ ତାଙ୍କୁ ଧନ୍ୟବାଦ ବୋଲି ପ୍ରଚାର କରୁଛନ୍ତି । କିନ୍ତୁ ସାଧାରଣ ଲୋକେ ସରକାର ଦାବୀକୁ ଗୁରୁତ୍ୱ ଦେଇ ଚାଷୀଙ୍କ ଦୁଃଖ ବୁଝିଲେ ଚାଷ ଓ ପିଇବା ପାଣି କଷ୍ଟ ଦୂର ହେବ ବୋଲି କହୁଛନ୍ତି ହେଲେ ପ୍ରକଳ୍ପ ନିର୍ମାଣ ସ୍ଥାନକୁ ନେଇ ସିକୁଆଁ ଗାଁ ଲୋକେ ଅସନ୍ତୋଷ ମଧ୍ୟ ପ୍ରକାଶ କରୁଛନ୍ତି । ତଳମୁଣ୍ଡରେ ନ ହୋଇ ଉପର ମୁଣ୍ଡରେ ପ୍ରକଳ୍ପ ହେଉ ବୋଲି ସେମାନେ ଦାବି ବି କରୁଛନ୍ତି । ତେବେ ରାଜନୀତିର ପାଣି ବ୍ୟାରେଜକୁ ନେଇ ପ୍ରବାହିତ ହେଉଥିବାରୁ କଂଗ୍ରେସ ବିଜେଡ଼ି ମଧ୍ୟରେ ଶ୍ରେୟ ଲଢେଇ ବୋଲି ଚର୍ଚ୍ଚା ହେଉଛି ।