jayashree

ଜିଲ୍ଲା ସିନିୟର ନକ୍‌ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଂଚମ ଦିବସ : ୮ଟି ପଡ଼ିଆରେ ଫୁଟବଲ ମୁକାବିଲା

  • ବିଭିନ୍ନ ଦଳର ଦମଦାର ବିଜୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରବିବାର ଜିଲ୍ଲାର ୮ଟି ପଡ଼ିଆରେ ରୋମାଞ୍ଚକର ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ବିଭିନ୍ନ ପଡ଼ିଆରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅନେକ ଦଳ ଏକତରଫା ବିଜୟ ହାସଲ କରିଛନ୍ତି । ଚୁଡ଼ାପାଲି ହାଇସ୍କୁଲ ପଡ଼ିଆରେ ନକଟାସର ୩-୦ ଗୋଲରେ ଲରମ୍ଭାକୁ ପରାସ୍ତ କରି ବିଜୟୀ ହୋଇଛି । ଏହି ମ୍ୟାଚ୍‌ରେ କ୍ରୀଡା ସଂସଦର କ୍ରିକେଟ ସମ୍ପାଦକ ଓମ୍‌ ପ୍ରକାଶ ଚାନ୍ଦ, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, ପୂର୍ବତନ ଖେଳାଳି ଲୋକନାଥ କୁମୁରା ଓ ନୀଳମଣି ଦଣ୍ଡସେନା ଅତିଥି ଭାବେ ଯୋଗ ଦେଇଥିଲେ । ଟିଟିଲାଗଡ଼ ସିଟି ସ୍କୁଲ ପଡ଼ିଆରେ ଖଜୁରପଡ଼ା ୩-୦ ଗୋଲରେ ଏନ୍‌ୱାଇଏସ୍‌ ଟିଟିଲାଗଡ଼କୁ ହରାଇଛି । ମ୍ୟାଚ୍‌ରେ ଟିଟିଲାଗଡ଼ ଏସ୍‌ଡିପିଓ ଯଶୋବନ୍ତ ପ୍ରଧାନୀଙ୍କ ସମେତ ପୂର୍ବତନ ଖେଳାଳି ମଧୁ ମହାଲିଙ୍ଗ ଓ କାଳୀପ୍ରସାଦ ମୁଖର୍ଜୀ ଉପସ୍ଥିତ ଥିଲେ । ଖୁଜେନପାଲି ପଡ଼ିଆରେ ବ୍ଲୁ ମାଉଣ୍ଟେନ ୬-୧ ଗୋଲରେ ଆୟୋଜକ ଖୁଜେନପାଲି ଦଳକୁ ପରାସ୍ତ କରିଛି । ଅତିଥି ଭାବେ ବଲାଙ୍ଗିର ବ୍ଲକ ଏମ୍‌ପି ନୋମିନି ପୁରୁଷୋତ୍ତମ ସାହୁ, କ୍ରୀଡା ସଂସଦ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ, ସଦାଇପାଲିରେ ରିଜର୍ଭ ପୋଲିସ ବଲାଙ୍ଗିର ୯-୨ ଗୋଲରେ ପ୍ରୋଗ୍ରେସିଭ୍‌ କ୍ଲବକୁ ହରାଇ ବଡ଼ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ବଲାଙ୍ଗିର ସଦର ଥାନା ଆଇଆଇସି ରାଜ କୁମାର ବିଶ୍ୱାଲ, ନରସିଂ ଅଧ୍ୟକ୍ଷା ସ୍ନିଗ୍ଧା ମିନତି ଦାନି ଓ ବଲାଙ୍ଗିର ରିଜର୍ଭ ଇନ୍ସପେକ୍ଟର ଲୋକନାଥ ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡ଼ିଆରେ ବିକେସି ୟୁନାଇଟେଡ୍‌ ୪-୦ ଗୋଲରେ ଘୁଚେପାଲିକୁ ପରାସ୍ତ କରିଛି । ଏଠାରେ ବଲାଙ୍ଗିର ଜିଲ୍ଲା ବିଜେଡି ଉପସଭାପତି ଧୃବ ଯୁଏଡ, ବଲାଙ୍ଗିର ମ୍ୟୁନିସିପାଲିଟି କାଉନସିଲର ମହେନ୍ଦ୍ର ବାଗ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ସୁଧୀର ଚନ୍ଦ୍ର ପଣ୍ଡା ଓ ଡା. ସିଦ୍ଧେଶ୍ୱର ମିଶ୍ର ଉପସ୍ଥିତ ଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ମହିପୁର ୧-୦ ଗୋଲରେ ବର୍ଲାକୁ ହରାଇଛି । ମ୍ୟାଚ୍‌ରେ ଡିସିସିବି ବ୍ରାଞ୍ଚ ମ୍ୟାନେଜର ସଞ୍ଜୀବ କୁମାର ଶତପଥୀଙ୍କ ସହ ପୂର୍ବତନ ଖେଳାଳି ତ୍ରିନାଥ ସିଂ ବାବୁ ଓ ସୁଦାମ ବାଗ ଅତିଥି ଭାବେ ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଏଚ୍‌ଆର୍‌ଡିଏ ଖଲିଆପାଲି ଓ କୁଶଙ୍ଗ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଟ୍ରାଇବ୍ରେକର ମାଧ୍ୟମରେ ଏଚ୍‌ଆର୍‌ଡିଏ ଖଲିଆପାଲି ବିଜୟୀ ହୋଇଛି । ହିରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଲ, ରେନବୋ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ଭିତିରିଆ ଓ ଲୋଇସିଂହା ଏଏ ସଭାପତି ଦିଲୀପ କୁମାର ବେହେରା ଅତିଥି ଭାବେ ଉପସ୍ଥିତ ଥିଲେ । ସେହିପରି ହଲଦୀ ପଡ଼ିଆରେ ଗୁଲ୍‌ମି ୨-୦ ଗୋଲରେ ବଙ୍ଗୋମୁଣ୍ଡାକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଠେମରା ହାଇସ୍କୁଲ ପ୍ରଧାନଶିକ୍ଷକ ତେଜଶ୍ରୀ ସାହୁ ଓ ଜାମୁରମୁଣ୍ଡା ଅଧ୍ୟାପକ ଦିଲୀପ ମହାନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ । ୮ଟି ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍‌ଗୁଡ଼ିକରେ ସୁନିଲ ଚନ୍ଦ୍ର ବିଶ୍ୱାଲ, ବଳରାମ ସା, ପ୍ରଦୀପ ବଗର୍ତ୍ତି, ଦେବରାଜ ନାହାକ, ଧବଳେଶ୍ୱର ଦଳବେହେରା, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ୱଳ ଝାଙ୍କର ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ବିଭିନ୍ନ ପଡ଼ିଆରେ ଆୟୋଜକ ଓ କ୍ରୀଡାପ୍ରେମୀଙ୍କ ସହଯୋଗରେ ଖେଳଗୁଡ଼ିକ ସୁଚାରୁରୂପେ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.