ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪ ନଂ ଜିଲ୍ଲା ପରିଷଦ ଜୋନ୍ ଏବେ ଉନ୍ନତି ପଥରେ ଆଗେଇ ଚାଲିଛି । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଖେଳକୁଦ, କୃଷି ସମେତ ଅନେକ କ୍ଷେତ୍ରରେ ବ୍ୟାପକ ସଫଳତା ପାଇଛି । ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଥିବା ବୁରୋମୁଣ୍ଡା ଗ୍ରାମବାସୀଙ୍କ ପାଇଁ ୨.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁରୀ ପାଇଥିବା ବେଳେ ବୁରୋମୁଣ୍ଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରି ଶିକ୍ଷା କ୍ଷେତ୍ରରେ ଏକ ବଡ ସମସ୍ୟା ଦୂର କରାଯାଇ ପାରିଛି ବୋଲି କୁଶମେଲ ମଣ୍ଡଳ ବିଜେପି ସଭାପତି ରାମ ପ୍ରସାଦ ସାହୁ (ମଣ୍ଟୁ) ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଏନେଇ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ସାହୁଙ୍କ ସୂଚନା ମୁତାବକ, ଡ. ମହାଲିଙ୍ଗ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ଥିବା ବେଳେ ଏବେ ୨୦୨୪ ରୁ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ଏକଦା ବନ୍ଦ ହେବାକୁ ଯାଉଥିବା ବୁରୋମୁଣ୍ଡା ସରକାରୀ ବିଦ୍ୟାଳୟକୁ ବ୍ଲକରେ ଚଳିତ ଶିକ୍ଷାବର୍ଷରୁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ମିଳିଛି । ଏନେଇ ବୁରୋମୁଣ୍ଡା ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ଡ. ମହାଲିଙ୍ଗଙ୍କୁ ଏହାର ସମସ୍ତ ଶ୍ରେୟ ଦେଇଛନ୍ତି। ଏଥିସହିତ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁରୀ ହୋଇଛି । ଉପରବାହାଲ ଗ୍ରାମର ହାଇସ୍କୁଲକୁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା ସହିତ ସେଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଅନୁଦାନ ମଞ୍ଜୁରୀ ହୋଇଛି । ଝାରମୁଣ୍ଡାରେ ଏକ ଇଣ୍ଡୋର ଷ୍ଟାଡିୟମ୍ ଓ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ସରଗାଡରେ ଅଡିଟୋରିୟମ୍ ଓ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ତଳିଉଡ଼ାରରେ କଲ୍ୟାଣ ମଣ୍ଡପ, କୁଶଙ୍ଗ ଠାରେ କଲ୍ୟାଣ ମଣ୍ଡପ, ଆଞ୍ଚଳିକ ଡିଗ୍ରୀ କଲେଜରେ ଅତିରିକ୍ତ ଶ୍ରେଣୀ କୋଠରୀ ହୋଇଛି । ଏଥି ସହିତ ତଳିଉଡାରରୁ ରେଙ୍ଗାଲି ରାସ୍ତା ସମେତ ଅନ୍ୟ ରାସ୍ତା ଗୁଡ଼ିକର ଉନ୍ନତି କରଣ ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ମନ୍ତ୍ରୀ ଡ. ମହାଲିଙ୍ଗ ସର୍ବଦା ପ୍ରଚେଷ୍ଟାରତ ଥିବା ଯୋଗୁଁ ଅନେକ କ୍ଷେତ୍ରରେ ଉନ୍ନତି ହେଉଛି ବୋଲି ଶ୍ରୀ ସାହୁ ସୂଚନା ଦେବା ସହିତ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
