ରାଉରକେଲାରେ ଜନ ସଂପର୍କ ଅଭିଯାନ ତ୍ୱରାନ୍ୱିତ କରିବା ଲାଗି ମହାନଗର ନିଗମର ପଦକ୍ଷେପ

• ସହରର ବୁଦ୍ଧିଜୀବୀ, ସାମାଜିକ ସଂଗଠନର ନେତୃବୃନ୍ଦଙ୍କ ସହ ହେବ ବ୍ୟାପକ ଆଲୋଚନା
• କୋଭିଡ୍ ମୁକାବିଲା ଓ ସେ ଦିଗରେ ସାମାଜିକ ସଂଗଠନ ତଥା ବୁଦ୍ଧିଜୀବୀଙ୍କ ଭୂମିକା ଉପରେ ହେବ ଆଲୋଚନା
• କୋଭିଡ ସ୍ଥିତି ନିୟନ୍ତ୍ରଣ ଦିଗରେ କାର୍ୟ୍ୟ କରିବା ଲାଗି ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଲାଗି ଆହ୍ୱାନ ଦେଲେ କମିଶନର

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାରେ ଜନସଂପର୍କ ଅଭିଯାନକୁ ତ୍ୱରାନ୍ୱିତ କରିବା ଲାଗି ମହାନଗର ନିଗମ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହ ଅନଲାଇନରେ ଆଲୋଚନା କରାଯିବ । ଜୁମ୍ ଆପ ଯୋଗେ ଏହି ଆଲୋଚନା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ପର୍ୟ୍ୟାୟ କ୍ରମେ ଏହି କାର୍ୟ୍ୟକ୍ରମ ଜାରି ରହିବ । ବିଶେଷ କରି ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ବୟସ୍କ ବ୍ୟକ୍ତି, କୋଭିଡ ପଜିଟିଭ ବ୍ୟକ୍ତି ତଥା ଅନ୍ୟ ସମ୍ବନ୍ଧୀୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବା ଏବଂ ଆବଶ୍ୟକ ସ୍ଥଳେ ମହାନଗର ନିଗମକୁ ସେ ସଂପର୍କରେ ଜଣାଇବା ଲାଗି ବ୍ୟାପକ ଜନସଂପର୍କ ଓ ସଚେତନତାର ଆବଶ୍ୟକତା ରହିଛି । ଜନସାଧାରଣଙ୍କ ସହଯୋଗ ବିନା କୋଭିଡ ମୁକାବିଲା ଆଦୌ ସମ୍ଭବ ନୁହଁ । ସହରର ବିଭିନ୍ନ ବର୍ଗର ନେତୃବୃନ୍ଦ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ ଏଦିଗରେ ପ୍ରଶାସନକୁ ସହଯୋଗ କରିବା ଲାଗି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ନିବେଦନ କରିଛନ୍ତି । ବିଶେଷ କରି ଯୁବବର୍ଗର ସ୍ୱେଚ୍ଛାସେବୀ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ନିଜ ନିଜ ଅଞ୍ଚଳରେ କୋଭିଡ ପରିଚାଳନା ଦିଗରେ ସାହାଯ୍ୟକାରୀ ଭାବେ ଦାୟିତ୍ୱ ନିର୍ବାହ କରିବା ଲାଗି କମିଶନର ଆହ୍ୱାନ ଦେଇଛନ୍ତି । ଏଥିନିମନ୍ତେ ସହରର ବିଭିନ୍ନ ସଂଗଠନ ମାନେ ନିଜ ନିଜ ସଂଗଠନ ପକ୍ଷରୁ କିଛି ସ୍ୱେଚ୍ଛାସେବୀଙ୍କୁ ମନୋନୀତ କରି ମହାନଗର ନିଗମର ହ୍ୱାଟ୍ସଅପ୍ ନମ୍ବର – ୭୮୪୬୮୦୬୦୩୫ରେ ସେମାନଙ୍କ ନାଁ, ଫୋନ୍ ନମ୍ବର, କେଉଁ ଅଞ୍ଚଳ ପାଇଁ କାମ କରିବେ, ଇତ୍ୟାଦି ବିବରଣୀ ପଠାଇବା ଲାଗି ଅନୁରୋଧ କରାଯାଇଛି । ଏହି କୋଭିଡ ମନିଟର ମାନେ ନିଜ ନିଜ ଅଞ୍ଚଳରେ ଥିବା କୋଭିଡ ପଜିଟିଭ ବ୍ୟକ୍ତି ଓ ସେମାନଙ୍କ ପରିବାରର ଯତ୍ନ ନେବେ । ହୋମ୍ ଆଇସୋଲେସନରେ ଥିବା କୋଭିଡ ପଜିଟଭ୍ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଲେ ନିମ୍ନରେ ଦିଆଯାଇଥିବା ହେଲ୍ପଲାଇନ ନମ୍ବରରେ ତୁରନ୍ତ ଯୋଗାଯୋଗ କରିବେ । ସେହିପରି ବୟସ୍କ ବ୍ୟକ୍ତି ବା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିମାନଙ୍କ ସମ୍ପର୍କରେ ମଧ୍ୟ ରାଉରକେଲା ମହାନଗର ନିଗମକୁ ଜଣାଇଲେ, ତାହାର ବିହିତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ ବୋଲି କୁହାଯାଇଛି । ଏଥି ସହିତ ୱାର୍ଡ ଏବଂ ବସ୍ତି ସ୍ତରରେ ମଧ୍ୟ ଏହି ଜନସଂପର୍କ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
କୋଭିଡ ପଜିଟିଭ୍ ବ୍ୟକ୍ତିଙ୍କ ସଂପର୍କରେ ଜରୁରୀ କାଳୀନ ସୂଚନା ପ୍ରଦାନ ନିମନ୍ତେ ହେଲ୍ପ ଲାଇନ ନମ୍ବର – ୭୮୪୭୦୫୪୧୬୫ ।
ବୟସ୍କ ତଥା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ପ୍ରଦାନ ନିମନ୍ତେ ହେଲ୍ପ ଲାଇନ ନମ୍ବର – ୭୬୫୫୦୦୨୨୫୯ ।

Leave A Reply

Your email address will not be published.