‘କୋଶଳ ପ୍ରବାହ‌’ର ପ୍ରଭାବ : ଗତକାଲି ଖବର ପ୍ରକାଶନ ପରେ ତୁରନ୍ତ ସାଂସଦ ସୁରେଶ ପୂଜାରୀଙ୍କ ତତ୍ପରତା

ଯୋଖିପାଲି ଗ୍ରାମ ହେବ ସାନିଆଟାଇଜ, ଲାଗିବ ଟ୍ରାନ୍ସଫର୍ମର : ଦୂର ହେବ ପନୀୟ ଜଳ ସମସ୍ୟା
ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଗତକାଲି ‘କୋଶଳ ପ୍ରବାହ‌’ରେ ଖବର ପ୍ରକାଶନ ପରେ ଯୋଖିପାଲି ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ, ଯୋଖିପାଲିର କର୍ମକର୍ତ୍ତାମାନେ ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କୁ ସମସ୍ତ ଘଟଣା ଫୋନ ମାଧ୍ୟମରେ ଏବଂ ଟ୍ଵିଟର ମାଧ୍ୟମରେ ଜଣେଇଥିଲେ । ଘଟଣାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଏହାର ତ୍ୱରିତ ସମାଧାନ କରିବା ନିମନ୍ତେ ଶ୍ରୀ ପୁଜାରୀ ସମସ୍ତ ବିଭାଗକୁ ସଙ୍ଗେ ସଙ୍ଗେ ଫୋନ କରି ଜଣେଇଥିଲେ । ଯାହାଦ୍ୱାରା ବିଜେପୁର ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ଗାଁରେ ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ପାଇଁ ଚିକିତ୍ସା ସୁବିଧା ପ୍ରଦାନ କରିବା ସହ ଗାଁକୁ ସାନିଟାଇଜ କରିବା ନିମନ୍ତେ ବିଜେପୁର ବିଡ଼ିଓ ପଦ୍ମନାଭ ସାମନ୍ତରାୟ ଫୋନ ମାଧ୍ୟମରେ କର୍ମକର୍ତ୍ତାଙ୍କୁ ଜଣେଇଥିଲେ ।

ଏହାଛଡ଼ା ଗତ ୬ ତାରିଖରୁ ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମରକୁ ସଜାଡ଼ିବା ନିମନ୍ତେ ଶ୍ରୀ ପୂଜାରୀ ୱେସ୍କୋ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଜଣେଇବା ପରେ ଆସନ୍ତାକାଲି ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ବସିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା ମିଳୁଛି । ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଏହା ଯେଭଳି ଗାଁ ସାରା ସଂକ୍ରମଣ ନ ହେବ. ସେନେଇ ଗ୍ରାମର ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ, ଯୋଖିପାଲି ତତ୍ପରତା ପ୍ରକାଶ କରିଥିଲେ । ସଙ୍ଗଠନର କର୍ମକର୍ତ୍ତାମାନେ ସାଂସଦ ସୁରେଶ ପୂଜାରୀଙ୍କ ତତ୍ପରତାକୁ ଦେଖି ସାଧୁବାଦ ଜ୍ଞାପନ କରିଥିଲେ ତଥା ଯୁବ ସଙ୍ଗଠନର ଏଭଳି ଗାଁର ସମସ୍ୟା ସମାଧାନ ନିମନ୍ତେ କାର୍ୟ୍ୟକୁ ଲୋକେ ପ୍ରସଂସା କରିଛନ୍ତି ।

Leave A Reply

Your email address will not be published.