om academy

ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ : ବଲାଙ୍ଗିର ମାଟିର ଝିଅ ରେସ୍‌ମାରାଣୀ ଦାଶ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର କଳାକାର ମାନେ ଦେଶ ବିଦେଶରେ ନାଁ କରିଛନ୍ତି । ବଲାଙ୍ଗିର ମାଟିର ଗୌରବ ସାଜିଛନ୍ତି । ଏମିତି ଜଣେ କଳାକାର ରେସ୍‌ମାରାଣୀ ଦାଶ, ଯାହାଙ୍କ ପ୍ରତିଭା ସଂପର୍କରେ ଆଜି ଆମେ ଆପଣମାନଙ୍କୁ ଅବଗତ କରାଇବାକୁ ଯାଉଛୁ । ରେସ୍‌ମାରାଣୀ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ । କେବଳ ସେତିକି ନୁହେଁ ସେ ଜଣେ ଉଚ୍ଚକୋଟିର ନୃତ୍ୟଶିଳ୍ପୀ ମଧ୍ୟ । ସମ୍ବଲପୁରୀ ଗୀତ ହେଉ କି ଓଡିଆ ଗୀତ ହେଉ ତାଙ୍କର ସୁମଧୁର କଣ୍ଠରେ ଜୀବନ୍ତ ହୋଇଉଠେ । ଶ୍ରୋତାଙ୍କୁ ମୁଗ୍ଧ କରିପକାଏ ।

ନୃତ୍ୟରେ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ପର୍ୟ୍ୟନ୍ତ ପହଂଚି ପାରି ଅନେକ ସ୍ଥାନରେ ପୁରସ୍କୃତ ହୋଇଛନ୍ତି ରେସ୍‌ମାରାଣୀ । ରେସ୍‌ମାରାଣୀ ଦାଶ ବଲାଙ୍ଗିର ଜିଲ୍ଲାର ପାଟଣାଗଡରେ ଜନ୍ମଗ୍ରହଣ କରିଥିବା ବେଳେ ନିଜ ଜନ୍ମ ମାଟି ପାଟଣାଗଡର ସାରସ୍ୱତ କଳା ପରିଷଦରୁ ଗୀତ ଗାଇବା ଓ ନୃତ୍ୟ କରିବା ପାଇଁ ଶିକ୍ଷା ଗ୍ରହଣ କରିଥିଲେ । ଆଜି ସେ ଗୀତ ଗାଇବା ସହ ନୃତ୍ୟ କରି ଅନେକ ସ୍ଥାନରେ ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଏବେ ବଲାଙ୍ଗିର ସହରର ଏକ ଘୋରୋଇ କଲେଜରେ ରେସ୍‌ମାରାଣୀ ଅଧ୍ୟାପିକା ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହାସହ ସେ ବଲାଙ୍ଗିର ସହରର ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରନ୍ତି । ନିଜ କଳା ସଂସ୍କୃତିକୁ ବଜାୟ ରଖିବା ସହ ଆଗାମୀ ପିଢ଼ିର ପିଲାମାନଙ୍କ ମଧ୍ୟରେ କିଭଳି ନୃତ୍ୟ ଓ ଗୀତ ପ୍ରତି ଆଗ୍ରହ ବଢ଼ିବ, ସେ ଦିଗରେ ସେ ବେଶ୍‌ ନିଷ୍ଠାବାନ୍‌ । ନିଜ ମାଟିର କଳା ଓ ସଂସ୍କୃତିକୁ ଦେଶ ବିଦେଶରେ ପ୍ରସାରିତ କରି ନିଜ ମାଟି ପାଇଁ ଗର୍ବ ଓ ଗୌରବ ସୃଷ୍ଟି କରିବା ହିଁ ତାଙ୍କ ସ୍ୱପ୍ନ ବୋଲି ସେ କହନ୍ତି ।

Leave A Reply

Your email address will not be published.