om academy

ଆକାଶବାଣୀ ଅଞ୍ଚଳବାସୀଙ୍କ ପାଇଁ ଅନନ୍ୟ ଉପହାର : ନରେନ୍ଦ୍ର ନାଥ ପଟ୍ଟନାୟକ

jsm

ଭୁବନେଶ୍ୱର : ରବିବାର ଦିନଟି ଭାରତର ସମସ୍ତ ରେଡ଼ିଓ ପ୍ରେମୀଙ୍କ ପାଇଁ ଏକ ଅଭୁଲା ଦିବସ । ୧୯୨୭ ମସିହାରେ ଏହି ଦିନ ଭାରତବର୍ଷରେ ପ୍ରଥମ ରେଡ଼ିଓ ପ୍ରସାରଣ ହୋଇଥିଲା । ଏହି କ୍ରମରେ ୧୯୫୬ ମସିହାରେ ଆକାଶବାଣୀ ସ୍ଥାପନା ହେବା ପରେ ସାରା ଭାରତବର୍ଷରେ ୪୭୦ଟି ରେଡ଼ିଓ ଷ୍ଟେସନ ସ୍ଥାପିତ ହୋଇଥିବା ବେଳେ କୋରାପୁଟ ଅଂଚଳର ଗିରିକନ୍ଦର, ବଣ ଜଙ୍ଗଲ ଓ ନଦୀ ନାଳ ଚାରିପାଖେ ଜୀବନଯାପନ କରୁଥିବା ପ୍ରକୃତିର ସନ୍ତାନଙ୍କ କଳା, ସଂସ୍କୃତି, ନାଚ, ଗୀତ ଓ ଆବିଳତାବିହୀନ ଜୀବନର ଧାରାକୁ ସଂଗ୍ରହ କରି ବିଶ୍ୱ ଦରବାରରେ ବାଣ୍ଟିବା ପାଇଁ ୧୯୬୪ ମସିହାରେ ଜୟପୁରଠାରେ ପ୍ରତିଷ୍ଠିତ ହୋଇଥିବା ଆକାଶାବାଣୀ କେନ୍ଦ୍ର ଏହି ଅଂଚଳର ୬୦ ବର୍ଷର ଇତିହାସକୁ ବହନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେନ୍ଦ୍ରଟି ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଜୟପୁର, କଟକ ଓ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏହି କେନ୍ଦ୍ର ତାର ଲାଇବ୍ରେରିରେ ସାଇତି ରଖିଛି । ଅଚଳ ହୋଇଯାଇଥିବା ଅଡିଓ ଟେପରୁ ଏହି ଅମୂଲ୍ୟ ସମ୍ପଦକୁ ଉଦ୍ଧାର କରି କମ୍ପୁଟରରେ ସାଇତି ରଖିବାରେ କେନ୍ଦ୍ର ସକ୍ଷମ ହୋଇଥିବା ଏଠାକାର ବରିଷ୍ଠ ଉଦ୍‌ଘୋଷକ ରଞ୍ଜନ କୁମାର ବେହେରା ଜଣାଇଛନ୍ତି । ଗତ ୬୦ ବର୍ଷ ମଧ୍ୟରେ ଏହି କେନ୍ଦ୍ରରେ ପରଜା, ଦେଶୀଆ, ସଉରା ଓ କନ୍ଧ ଭାଷାଭାଷୀ କଳାକାରଙ୍କ ସହଭାଗିତାରେ ଚଇତି ଜହ୍ନ, ତାରଭା ଓ କୂନେଇ ଲେଞ୍ଜୁ ଭଳି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ଜନଆଦୃତ ହୋଇପାରିଥିବା ଏହି କେନ୍ଦ୍ରର କାର୍ଯ୍ୟକ୍ରମ ନିଷ୍ପାଦକ ନରେନ୍ଦ୍ର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମ ପ୍ରଚାର କରିବା ମାଧ୍ୟମରେ ଏହି କେନ୍ଦ୍ର ସ୍ଥାନୀୟ କଳାକାରଙ୍କୁ କିପରି ଅପୂର୍ବ ସୁଯୋଗ ପ୍ରଦାନ କରିଛି ସେ କଥାକୁ ସ୍ମରଣ କରି ଦିନେ ଏହି କେନ୍ଦ୍ରରେ ବିଗତ ଅନେକ ବର୍ଷ ଧରି ରେଡ଼ିଓ ନାଟକରେ ଅଭିନୟ କରି ଆସୁଥିବା ମିନାକ୍ଷୀ ପାତ୍ର ଏହି କେନ୍ଦ୍ର ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଆକାଶବାଣୀ କେନ୍ଦ୍ର ଜୟପୁର, ନାଟକ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଥିବା ସେ ଜଣାଇଛନ୍ତି । ଆକାଶବାଣୀ କେନ୍ଦ୍ରର ଗୌରବମୟ ଇତିହାସକୁ ସାଥୀରେ ନେଇ ଆଗକୁ ଅନେକ ସ୍ୱପ୍ନ ବାନ୍ଧିଛନ୍ତି ଏହି କେନ୍ଦ୍ରର ପ୍ରମୁଖ ନିଷ୍ପାଦକ ନରେନ୍ଦ୍ର ନାଥ ପଟ୍ଟନାୟକ । ଏହି କେନ୍ଦ୍ରଟି ସରକାରଙ୍କ ତରଫରୁ ଏହି ଅଞ୍ଚଳବାସୀଙ୍କ ପାଇଁ ଅନନ୍ୟ ଉପହାର ସେଥିରେ ସନ୍ଦେହ ନାହିଁ ବୋଲି ସେ ମତ ରଖିଛନ୍ତି ।

Leave A Reply

Your email address will not be published.