କୋଭିଡ-୧୯ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ ଗଣମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାରେ ଯେଭଳି ବ୍ୟାପକ ଭାବରେ କରୋନା ବ୍ୟାପିଲାଣି ତାହା ଚିନ୍ତାର ବିଷୟ ହୋଇଥିବା ବେଳେ ସାରା ଓଡ଼ିଶାକୁ ଏହା ଗ୍ରାସ କରି ସାରିଲାଣି । ଦୀର୍ଘ ତିନି ଚାରି ମାସ ହେଲା ଆମେ ଓଡ଼ିଶା ରାଜ୍ୟବାସୀ ବିଶେଷ ଆତଙ୍କିତ ତଥା ବ୍ୟତିବସ୍ତ ହୋଇ ପଡ଼ିଛୁ । ରାଜ୍ୟ ସରକାର କରୋନାକୁ ଆକଟ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ ତିନି ମାସ ତଳେ କହିଛି ଲକ୍ଷେରୁ ଊର୍ଦ୍ଧ ସଂକ୍ରମିତ ବାହାରିବେ । ଟିଏମସିରୁ ସରକାର କରୋନା ଟେଷ୍ଟ କରନ୍ତୁ । କିନ୍ତୁ ସରକାର କଲେ ନାହିଁ । ଆଜି ତାର ପରିଣାମ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ହୁ ହୁ ହୋଇ ବଢ଼ିଛି କରୋନା । ସର୍ବାଧିକ ସଂକ୍ରମଣ ସେହି ଜିଲ୍ଲାରେ । କରୋନାରେ ଆକ୍ରାନ୍ତ ହୋଇ ଏହି ଜିଲ୍ଲାରୁ ଶତାଧିକ ଲୋକେ ମୃତ୍ୟୁବରଣ କରିଛନ୍ତି । ସାରା ରାଜ୍ୟରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା, ନିକଟରେ ରାଜ୍ୟ ସରକାରଙ୍କ ଆଡ଼ିସନାଲ ଚିପ୍ ସେକ୍ରେଟାରୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ସେ ସରକାରଙ୍କ ମୁଖା ଖୋଲି ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ସାଲୁଜା ଦାବୀ କରିଥିବା ବେଳେ ସେ କହିଛନ୍ତି, ରାଜ୍ୟ ସରକାରଙ୍କ କୋଭିଡ-୧୯ ପରିଚାଳନାରେ କୌଣସି ମେସିନାରୀ ଠିକ୍ କାମ କରୁନାହିଁ ତଥା ଆମ୍ବୁଲାନ୍ସ ଆଦି ସେବା ଏଠାରେ ବିପର୍ଯ୍ୟସ୍ତ ବୋଲି ରିପୋର୍ଟ ଦିଆଯାଇଛି । ଡାକ୍ତରମାନେ ଠିକ୍ ଭାବରେ ହସ୍ପିଟାଲ୍ ଆସୁ ନାହାନ୍ତି, ଏ ସଂପର୍କରେ ନିଜେ ପ୍ରଦୀପ୍ତ ମହାପାତ୍ର ମତ ଦେଇଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଆଡ଼ିସନାଲ ଚିପ୍ ସେକ୍ରେଟାରୀ ଯଦି ଏହା କହୁଛନ୍ତି, ତେବେ ଏହାର ବାସ୍ତବ ଚିତ୍ର ଅନୁମାନ ସାପେକ୍ଷ । ଅତ୍ୟନ୍ତ କ୍ଷୋଭର ସହ ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି । ଏବେ ରୋଗୀମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ରାଜ୍ୟ ସରକାର ଯେଭଳି ପୋଜେଟିଭକୁ ନେଗେଟିଭ, ନେଗେଟିଭକୁ ପୋଜେଟିଭ ଭାବରେ ଟେଷ୍ଟ ରିପୋର୍ଟ ପ୍ରଦାନ କରୁଛନ୍ତି, ସେଥିପାଇଁ ରାଜ୍ୟର ଜନସାଧାରଣଙ୍କ ରାଜ୍ୟ ସରକାରଙ୍କ ଉପରେ ବିଶେଷ ଆକ୍ରୋଶ ଦେଖିବାକୁ ମିଳିଛି । ସେ ଆହୁରି କହିଛନ୍ତି ଯେ, ତିନି ଦିନ ହେଲା ମୁଁ ସେକ୍ରେଟାରିଏଟ ଯାଉଛି । ଜଣେ ବି ସେକ୍ରେଟାରୀ ସେଠାରେ ନାହାନ୍ତି । ସମସ୍ତେ ଘରେ ରହିଛନ୍ତି । ତୃତୀୟ ମହଲା (ଥାଡର଼୍ ଫ୍ଲୋର)କୁ ଗତ ଦୁଇ ଦିନ ତଳେ ଦୁଇ ଜଣ ସାଂସଦ ଓ ତିନି ଜଣ ବିଧାୟକ ଯାଇଥିଲେ, ସେମାନଙ୍କୁ ଭିତରକୁ ପଶିବା ପାଇଁ ମନା କରାଗଲା । କେଉଁଭଳି ଭାବରେ ସରକାରୀ ଆଇନକୁ ଉଲଂଘନ କରାଯାଉଛି, ଏହା ହେଉଛି ତାହାର ନଗ୍ନ ନମୂନା । ରାଜ୍ୟ ସରକାର ସବୁକିଛି ଲୁଚାଉଛନ୍ତି । କରୋନାକୁ ପ୍ରତିରୋଧ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ ଦୃଢ଼ତାର ସହ ମତ ରଖିଛନ୍ତି ।

Leave A Reply

Your email address will not be published.