ରଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ସୂଚନା

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ରଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି ମଙ୍ଗଳବାର ସକାଳ ସୁଦ୍ଧା ରଥ ନିର୍ମାଣ ଅଗ୍ରଗତି ଶୀର୍ଷ ଆଡକୁ ଗତି କରିଥିବା ବେଳେ ମୂଳ ବାରଣ୍ଡା, ଯାହାକି ରଥ ଉପରେ ଚଢ଼ି ବସୁଥିବା ସ୍ଥାନ ପରିସର ନିର୍ମାଣରେ ଅଗ୍ରଗତି ହୋଇଆସିଛି ।

ସୂଚନା ଅନୁସାରେ ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ ୧୯୮ ରହିଛି । ତିନିରଥର ମୋଟ ମହାରଣା-୭୮, ତିନିରଥର ଭୋଇ ସେବକ-୭୬, ତିନିରଥର କରତି ସେବକ-୫, ପାହି ମହାରଣା-୧, ଓଝା ବା କମାର ସେବକ-୧୬, ତୁମ୍ବ ବିନ୍ଧ କାରୀଗର-୨, ତିନିରଥର ରୂପକାର ସେବକ-୧୯, ରଥ ଖଳା ସହାୟକ-୧

ତିନି ରଥର ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୁର୍ଣ୍ଣ ହୋଇଅଛି । ଆଜି ତିନିରଥର କଳସରେ ସିଲଭର ପାତ ଫିଟିଙ୍ଗ ମହାରଣା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଅଛି । ଉକ୍ତ କଳସ ରଥରେ ବସିବା ପୂର୍ବରୁ ଚିତ୍ରକର ସେବକ ମାନେ ସେଥିରେ ୩୨ ଗୋଟି ଲେଖାଁଏ ପଦ୍ମ ପାଖୁଡା ଚିତ୍ର ଅଙ୍କନ କରିବେ । ଏଥିସହ ଆଜି ତିନିରଥର ଦୁଇଟି ଲେଖାଁଏ ଦୁଆର ବେଢା ପ୍ରେମ ନିର୍ମାଣ ହୋଇ ପୂର୍ବରୁ ନିର୍ମାଣ ହୋଇ ରହିଥିବା ଚନ୍ଦ୍ରଶାଳୀ ଏବଂ ମଗର ମୁଖ ଗାରେଡି ସଂଯୋଗ ହୋଇଅଛି । ତିନିରଥ ପାଇଁ ଚାରୋଟି ଲେଖାଁଏ
ବାରଗୋଟି ଦୁଆର ବେଢା ନିର୍ମାଣ ହୋଇ ରଙ୍ଗ କାର୍ଯ୍ୟ ପରେ ରଥମାନଙ୍କରେ ଫିଟିଙ୍ଗ୍‌ କରାଯିବ । ତିନିରଥର ୨୪ ଗୋଟି ନାଟ ଗୋଡ଼ରୁ ୨୧ଟି ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସାରି ରଙ୍ଗ କାର୍ଯ୍ୟ ପାଇଁ ରୂପକାର ସେବକ ଚିତ୍ରକର ସେବକଙ୍କୁ ଯୋଗାଇ ଥିଲେ, ଆଜି ଶେଷ ତିନୋଟି ନାଟ ଗୋଡ଼ର ରାହୁରୂପ ଖୋଦେଇ କାର୍ଯ୍ୟ ରୂପକାର
ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି । ଏଥିସହ ନନ୍ଦିଘୋଷ ରଥର ସିଂହାସନରେ କୁମ୍ଭ ଡାଳି ଲତା ଏବଂ ପଦ୍ମ ପାଖୁଡା ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି । ଚିତ୍ରକର ସେବକ ମାନେ ତିନିରଥର କୋଣଗୁଜ, ପଟାଗୁଜ, ନଟଗୋଡ଼ରେ ପ୍ରାଇମର ଦେବାପରେ ରୂପ ଗୁଡିକରେ ରଙ୍ଗ କାର୍ୟ୍ୟ କରୁଛନ୍ତି । ଅସ୍ଥାଇ କମାର ଶାଳରେ ଓଝା ସେବକମାନେ ତିନି
ରଥ ପାଇଁ ୧୨ ଗୋଟି ‘ଜଙ୍ଘ। କଣ୍ଟା’ ଯୋଗାଇଥିଲେ ତାହା ଭୋଇ ସେବକ ମାନେ ତିନି ରଥର ଖପୁରୀ ପୋଟଳ ଚାରୀ ପାର୍ଶ୍ୱରେ ଚାରୋଟି ଲେଖାଏଁ ଜଙ୍ଘ। କଣ୍ଟା ବାଡେଇ ଫିଟିଙ୍ଗ କରିଛନ୍ତି, ଯାହାଫଳରେ ପୋଟଳ ଗୁଡିକ ମଜଭୁତ ହୋଇରହିବ । ଏଥିସହ କମାର ସେବକମାନେ ତିନିରଥର କଳସ କଣ୍ଟା, ଶୁଆ କଣ୍ଟା, ଦୁଆର ବେଢା ପାଇଁ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ତିନିରଥର ଦରଜି ସେବକମାନେ ଦୁଆର ବେଢା ପାଇଁ ମାପ ପ୍ରକାରେ ଦାଗ ଦେଇ କନା କଟିଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.