ବରଗଡ଼, (ମୋହନ ସାହୁ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଗାଁର ଯୁବକ ଦୀନେଶ ଅଦାବର (୧୯) ଙ୍କର ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅକାଳରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାକୁ ନେଇ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ମୃତ୍ୟୁ ଘଟଣାର ସଠିକ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଗ୍ରାମବାସୀମାନେ ମୃତଦେହକୁ ଗୋଡ଼ଭଗା–ତୁରୁମ ମୁଖ୍ୟ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପରିସ୍ଥିତି ସ୍ୱାଭାବିକ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଦୀନେଶଙ୍କ ଅକାଳ ବିୟୋଗରେ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ପରିବାର ପକ୍ଷରୁ ଉଚିତ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ଦାବି କରାଯାଇଛି ।
