୧୬୬ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କଲେ କଣ୍ଟାବାଞ୍ଜି ବିଧାୟକ

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ତୁରେକେଲା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନୂତନ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବ୍ଲକର ମୋଟ ୧୬୬ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ସେ କହିଥିଲେ ଯେ, ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ସମାଜର ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ସହଜ ସହାୟକ ହେଉଛି । ସମସ୍ତ ଯୋଗ୍ୟ ହିତାଧୂକାରୀଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ତୁରକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ, ତୁରକେଲା ପଞ୍ଚାୟତ ସରପଞ୍ଚ ତଥା ବିଧାୟକ ପ୍ରତିନିଧୂ ଜଳନ୍ଧର ମହାକୁଡ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭବାନୀ ପଟେଲ, ତୁରେକେଲା ମଣ୍ଡଳ ସଭାପତି ଆନନ୍ଦ ସାହୁ ଓ ଧାମନଡଙ୍ଗା ମଣ୍ଡଳ ସଭାପତି ରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ସଚେତନ କରିବା ସହ ଏହାର ସଠିକ୍ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିବା ବେଳେ ହିତାଧିକାରୀମାନେ ଭତ୍ତା ପାଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଯୋଜନାକୁ ଅଧୂକ ସୁଦୃଢ଼ କରିବା ସହ ଯୋଗ୍ୟ ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.