om academy

ସ୍ୱାଧୀନତାର ବହୁବର୍ଷ ପରେ ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା : ସ୍ଥାପିତ ସ୍କୁଲକୁ ଉଠାଇ ଦେଲା ସରକାର, ଫ୍ଲୋରାଇଡ଼ ମିଶା ପାଣି ହିଁ ସାହା ଭରସା

jsm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଉପାନ୍ତରେ ଏବେ ବି ଅନେକ ଗାଁ ଅଛି ଯାହା ଆଜି ବି ମୌଳିକ ସୁବିଧାରୁ ବଂଚିତ । ନା ଅଛି ଭଲ ରାସ୍ତା ନା ଅଛି ଭଲ ପାନୀୟ ଜଳର ବ୍ୟବସ୍ଥା । ଶିକ୍ଷାର କଥା ତ ନ କହିବା ଭଲ । ସ୍ୱାଧୀନତାର ଅନେକ ବର୍ଷ ପରେ ବି ଲୋକଙ୍କ ନିକଟରେ ପହଂଚି ପାରିନି ସରକାରୀ ଯୋଜନାର ସୁଫଳ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ ମାଲପଡା ଗାଁ । ଦୀର୍ଘ ବର୍ଷରୁ ଗାଁ ସ୍ଥାପନ ହୋଇଛି । ଜିଲ୍ଲାର ଶେଷ ସୀମାରେ ଅଛି ଏହି ଗାଁ । ଏହି ଗାଁରେ ୧୯୭୩ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ହେଲେ ଛାତ୍ରଛାତ୍ରୀ କମ୍ ଥିବାରୁ ସ୍କୁଲକୁ ବନ୍ଦ କରି ଦେଲା ସରକାର । ଫଳରେ ପ୍ରଥମ ଶ୍ରେଣୀ ପାଠ ପଢିବା ପାଇଁ ବରତୁଣ୍ଡା ଓ କପିଲାଭଟା ସ୍କୁଲକୁ ଯାଉଥିବା ବେଳେ ସେମାନଙ୍କୁ ଅଭିଭାବକ ଛାଡ଼ିଦେଉଛନ୍ତି ଏବଂ ଆଣିବା ପାଇ ମଧ୍ୟ ଯାଉଛନ୍ତି । ଅଭିଭାବକ ମାନେ ଘର କାର୍ଯ୍ୟ କି ଅନ୍ୟ କାର୍ଯ୍ୟ କରିବାରେ ସମସ୍ୟା ହେଉଛି । ସେପଟେ ଗାଁରେ ଅନେକ ନଳକୂପ ଥିବା ବେଳେ ସେଥିରେ ଫ୍ଲୋରାଇଡ଼ ମିଶା ପାଣି ବାହାରୁଛି । ଲୋକମାନେ ହଇରାଣ ହେଉଛନ୍ତି । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରି ଘରକୁ ଘର ପାଣି ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମାଲପଡା ଗାଁକୁ ଯିବାକୁ ହେଲେ ଏ ହେଉଛି ଏକ ମାତ୍ର ମୁଖ୍ୟ ରାସ୍ତା । ଗ୍ରୀଷ୍ମ ଋତୁରେ କିଛି ମାସ ଚଳିଯାଏ । ବର୍ଷା ମାସର କଥା ନ କହିବା ଭଲ । ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଗାଁ ଲୋକଙ୍କ ଯିବା ଆସିବା ପାଇଁ ପକ୍କା ରାସ୍ତାଟିଏ ହୋଇନାହିଁ । ଫଳରେ ଏହି ରାସ୍ତାରେ ଦୈନନ୍ଦିନ ଛାତ୍ରଛାତ୍ରୀ, ଜନ ସାଧାରଣମାନେ ଯିବା ଆସିବା କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ମଧ୍ୟ ନଜିର ରହିଛି । ଦୈନିକ ଏହି ରାସ୍ତାରେ ଗାଁର ପରିବା ବ୍ୟବସାୟୀମାନେ ବିଭିନ୍ନ ବଜାରକୁ ଯାଇଥାନ୍ତି । ଗାଁରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ନେଇ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଆମେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ପଚାରିବାରୁ, ଗାଁ ରାସ୍ତା ସମସ୍ୟା ଓ ପାଣି ସମସ୍ୟା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମାଂଚଳରେ ଗମନାଗମନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ଆଜି ବି ଅପହଂଚ । ଲୋକେ ମୌଲିକ ସୁବିଧାରୁ ବଂଚିତ । ତେବେ ସରକାର କେବେ ଏହି ମାଲପଡା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.