pakka

ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ମା’ରାମଚଣ୍ଡୀ ମହୋତ୍ସବ – ୨୦୨୪ ଉଦଯାପିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବ ମଧ୍ୟରେ ଗତକାଲି ମଧ୍ୟରାତ୍ରୀରେ ମା’ରାମଚଣ୍ଡୀ ମହୋତ୍ସବ-୨୦୨୪ ସମାହିତ ହୋଇଯାଇଛି । ଛତ୍ରପୁର ଉପକଣ୍ଠସ୍ଥ ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମ ଧଡାପାହାଡ ଶିଖରରେ ଅବସ୍ଥାନ କରିଥିବା ମା’ ରାମଚଣ୍ଡୀ ପୀଠ ପୁରାଣ ଓ ପ୍ରସିଦ୍ଧ ଅଟେ । ମା’ରାମଚଣ୍ଡୀଙ୍କ ନବନିର୍ମିତ ଭବ୍ୟ ମନ୍ଦିରର ପ୍ରତିଷ୍ଠାଲାଭ କରିବାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ତିନିଦିନିଆ ମା’ ରାମଚଣ୍ଡୀ ମହୋତ୍ସବ-୨୦୨୪ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ବିବିଧ ସାଂସ୍କୃତିକ ସମ୍ଭାର ମଧ୍ୟରେ ଆଡମ୍ବର ପୂର୍ଣ୍ଣ ଏହି ମହୋତ୍ସବ ଗତକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା । ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଥିବା ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞର ପୂର୍ଣ୍ଣାହୂତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଆନନ୍ଦ ଲାଭ କରିଥିବା ବେଳେ ଅଗଣିତ ଦର୍ଶକଗଣ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରି ଖୁସିରେ ମଜ୍ଜି ଯାଇଥିଲେ । ବହୁ ପ୍ରତିଷ୍ଠିତ କଳାକାରଙ୍କ ନାଚ ଗୀତରେ ଝୁମି ଯାଇଥିଲେ । ଶେଷ ରଜନୀରେ ମେଗା ମଞ୍ଚରେ ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଫେସନ୍-ସୋ, ଲଘୁ-ସଙ୍ଗୀତ, ଭକ୍ତିସଙ୍ଗୀତ, ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ, ଏବଂ ଗଞ୍ଜାମ ଜିଲ୍ଲାର ଲୋକ-ସଙ୍ଗୀତ, ଲୋକନୃତ୍ୟ ଆଦି ପରିବେଷିତ ହୋଇଥିଲା । ମା’ରାମଚଣ୍ଡି ମହୋତ୍ସବ-୨୦୨୪ ପାଳନ ପୂର୍ବକ ଏହାକୁ ଏକ ସ୍ୱତନ୍ତ୍ର ଭାବେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ନିମନ୍ତେ ସମଗ୍ର ଗଞ୍ଜାମବାସୀ ଏହି ଅବସରରେ ସରକାରଙ୍କଠାରେ ନିବେଦନ କରି ଆଶାବ୍ୟକ୍ତ କରିଛନ୍ତି । ମହୋତ୍ସବର ତୃତୀୟ ଦିବସରେ ବିଭିନ୍ନ କଳାକାରଙ୍କ ଦ୍ୱାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଉଠିଥିଲା ଏବଂ ଛତ୍ରପୁର କଳା ବିକାଶ କେନ୍ଦ୍ର ପକ୍ଷରୁ ସଙ୍ଗୀତ ଓ ନୃତ୍ୟ ପରିବେଷଣକୁ ନେଇ ଦର୍ଶକ ଖୁସି ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ଦିର ଟ୍ରଷ୍ଟ ଓ ପରିଚାଳନ କମିଟି ତରଫରୁ ସମସ୍ତ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ସୁନାମ୍-ଧନ୍ୟ କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଓ ସଙ୍ଗୀତା ପାଢ଼ୀଙ୍କ ସୁମଧୁର କଣ୍ଠ ସ୍ଵରରେ ଶ୍ରୋତା ତଥା ଅଗଣିତ ଦର୍ଶକଗଣ ନାଚି ଉଠିଥିବା ଦେଖିବାକୁ ମିଳିଛି । ପ୍ରବଳ ଜନ ସମାଗମକୁ ଭିତ୍ତି କରି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମଧ୍ୟରାତ୍ର ପର୍ଯ୍ୟନ୍ତ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବକୁ ମିଳିଥିଲା । କାର୍ଯ୍ୟକ୍ରମର ସଂଯୋଜକ କମଲ କୁମାର୍ ପଣ୍ଡା ସମସ୍ତଙ୍କୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ ।

jay balangir
Leave A Reply

Your email address will not be published.

20 − 10 =