
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଇଛାଶକ୍ତି ଆଗେ ବୟସ ଆପେ ଆପେ ହାର୍ ମାନିଯାଏ । ଏହାର ଉଦାହରଣ ସାଜିଛନ୍ତି ୯୦ ବର୍ଷ ବୟସରେ ପାଦ ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଡିଗଶିରା ଗାଁର ଅବସରପ୍ରାପ୍ତ ଶିକ୍ଷକ ଶଶିଭୂଷଣ ମିଶ୍ର, ପିତା ସ୍ୱର୍ଗତ ରାମକୃଷ୍ଣ ମିଶ୍ର ଓ ମାତା ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ସନ୍ତାନ । ଶ୍ରୀ ମିଶ୍ର ଶିକ୍ଷକତାରୁ ଅବସର ନେଲା ପରେ ପୁସ୍ତକ ରଚନା ଆରମ୍ଭ କରିଥିଲେ । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ରାମାୟଣ ସୁଧା, ସୂର୍ଯ୍ୟସୂତ ରାଧେୟ, ସୁଧା ଧାର, ଅନ୍ଧବିଶ୍ୱାସ ପ୍ରମୁଖ ପାଠକ ମହଲରେ ବେଶ୍ ଆଦୃତ ହୋଇପାରିଛି । ଚଳିତ ବର୍ଷ ପବିତ୍ର ନନ୍ଦଉତ୍ସବ ଦିନ ଶ୍ରୀ ମିଶ୍ରଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ “ପୁଷ୍ ପୂତର୍ ରାମ” ପ୍ରକାଶିତ ହୋଇ ସାରିଥିବା ବେଳେ ସମାଜକୁ ଶିକ୍ଷା ଦେବାରେ ଏହି ପୁସ୍ତକ ନିଶ୍ଚୟ ସହାୟକ ହେବ ବୋଲି ଆଶା କରାଯାଉଛି । ଉପାଦେୟ ପୁସ୍ତକ ରଚନାରେ ବୟସ ପ୍ରତିବନ୍ଧକ ହୋଇ ରହିନାହିଁ । ଅପରପକ୍ଷେ ବାପାଙ୍କ ଲେଖନୀରେ ଅନୁପ୍ରାଣିତ ହୋଇ ତାଙ୍କ ଝିଅ ତଥା ଶିକ୍ଷୟିତ୍ରୀ କବିତା ମିଶ୍ର ମଧ୍ୟ ଗୋଟିଏ ପରେ ଗୋଟିଏ କବିତା ଲେଖି ସମାଜକୁ ଭେଟି ଦେବାରେ ଲାଗିଛନ୍ତି ।