ବଲାଙ୍ଗିର, (କେପିଏନ୍ଏସ୍) : ବଚପନ୍ ନଗର ବିଷ୍ଣୁମୁଣ୍ଡା ଠାରେ ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲର ଇନଭେଷ୍ଟିଚର୍ ସେରିମୋନି ବା ଛାତ୍ର ପରିଷଦର ଶପଥ ଗ୍ରହଣ ଉତ୍ସବ ଭବ୍ୟ ଭାବରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଅଖିଲ ଚନ୍ଦ୍ର ହୋତା ଯୋଗଦାନ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶିକା ଅର୍ଚ୍ଚନା ଶତପଥୀ, ନିର୍ଦ୍ଦେଶକ ଅଜିତ ଶତପଥୀ, ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ, ପ୍ରଧାନ ଶିକ୍ଷୟିତ୍ରୀ ଚପଳା ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଦୀପ ପ୍ରଜ୍ଜ୍ୱଳନ ଓ ସରସ୍ୱତୀ ବନ୍ଦନା ସହିତ ଆରମ୍ଭ ହୋଇଥିଲା । ପରେ ବିଦ୍ୟାଳୟର କ୍ୟାପ୍ଟେନ୍, ଭାଇସ୍ କ୍ୟାପ୍ଟେନ୍, ହାଉସ୍ କ୍ୟାପ୍ଟେନ୍ ସ୍ପୋର୍ଟସ କ୍ୟାପଟେନ, କଲ୍ଚରାଲ କ୍ୟାପଟେନ, ହାଉସ ମାଷ୍ଟର୍ସ ଏବଂ ଅନ୍ୟାନ୍ୟ ଛାତ୍ରନେତାମାନଙ୍କୁ ବ୍ୟାଜ୍ ଓ ସାଶ୍ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ସେମାନଙ୍କୁ ନିଷ୍ଠା, ସତ୍ୟନିଷ୍ଠା ଓ ଦାୟିତ୍ୱବୋଧ ସହିତ କର୍ତ୍ତବ୍ୟ ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ । ନବନିର୍ବାଚିତ ଛାତ୍ର ପରିଷଦର ସଦସ୍ୟମାନେ ବିଦ୍ୟାଳୟର ଶୃଙ୍ଖଳା ବଜାୟ ରଖିବା, ସହପାଠୀମାନଙ୍କୁ ସହଯୋଗ କରିବା ଏବଂ ବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ସଦା ପ୍ରୟାସ କରିବେ ବୋଲି ପ୍ରତିଜ୍ଞା କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନେ ନେତୃତ୍ୱ, ଶୃଙ୍ଖଳା ଓ ସେବାଭାବର ମହତ୍ତ୍ୱ ବିଷୟରେ ଅବଗତ ହେବେ ବୋଲି କହିଥିବା ବେଳେ ଶ୍ରୀଯୁକ୍ତ ହୋତା ଛାତ୍ରଛାତ୍ରୀ ମାନଙ୍କ ଭାଇଚାରା ବୃଦ୍ଧି ଏବଂ ତାଙ୍କ ସର୍ବାଙ୍ଗୀନ ବିକାଶରେ ଏହା ସହାୟକ ହେବ ବୋଲି ଅଭିବ୍ୟକ୍ତ କରିଥିଲେ । ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିବା ସହ ଅଭିଭାବକ ବୃନ୍ଦ ଏବଂ ସମସ୍ତ ଚ୍ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ଉତ୍ସବ ସମସ୍ତଙ୍କ ମନରେ ଦାୟିତ୍ୱବୋଧ, ନେତୃତ୍ୱ ଓ ଶୃଙ୍ଖଳାର ଭାବନାକୁ ଅଧିକ ସୁଦୃଢ଼ କରିବ ବୋଲି ବିଦ୍ୟାଳୟର ନିର୍ଦ୍ଦେଶିକା ମତବ୍ୟକ୍ତ କରିଥିଲେ ।
