
- ‘ବିକଶିତ ଭାରତ’ ସାକାର କରିବା ପାଇଁ ସମୟୋପଯୋଗୀ ଢାଞ୍ଚା ତିଆରି କରିବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
- ପୁସ୍ତକର ଲେଖକ ଡଃ ସଜ୍ଜନ ଯାଦବଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
- ସମୟ ଅନୁସାରେ ନିଜକୁ ବିକଶିତ କରିବା ଦରକାର
- ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ପାଳନ କଲେ ହିଁ ୧୪୦ କୋଟି ଦେଶବାସୀଙ୍କର ଅଧିକାର ସୁରକ୍ଷିତ ଓ ସଶକ୍ତ ହେବ
ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଡଃ ସଜ୍ଜନ ଯାଦବଙ୍କ ଦ୍ୱାରା ଲିଖିତ ‘ଲକ୍ଷ୍ୟ ୟୁପିଏସସି : ଯୁବା ଆଇଏଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ’ ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ଶ୍ରୀ ପ୍ରଧାନ ଲେଖକ ଡଃ ଯାଦବଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ଅଭ୍ୟର୍ଥୀମାନଙ୍କର ଅଥକ ପରିଶ୍ରମ, ପୁରୁଷାର୍ଥ ଓ ସଂକଳ୍ପଶକ୍ତିକୁ ଦର୍ଶାଉଥିବା ଏହି ପୁସ୍ତକ, ପ୍ରଶାସନିକ ସେବା କରିବାକୁ ଚାହୁଁଥିବା ଅଗଣିତ ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣା ସ୍ରୋତ ହେବ । ଏହି ପୁସ୍ତକ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଥିବା ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉପଯୋଗୀ ଓ ପ୍ରେରଣାଦାୟୀ ପଦକ୍ଷେପ ।
ସେ କହିଛନ୍ତି ଯେ ଗଣତନ୍ତ୍ରରେ ଅଧିକାରଗୁଡିକର ଯେତିକି ଦାୟିତ୍ୱ ଅଛି, କର୍ତ୍ତବ୍ୟର ମଧ୍ୟ ସେତିକି ମହତ୍ତ୍ୱ ଅଛି । ବଦଳୁଥିବା ସମୟ ସହିତ, ଆମର କର୍ତ୍ତବ୍ୟ ଏବଂ ଆକାଂକ୍ଷାଗୁଡ଼ିକର ସ୍ୱରୂପ ମଧ୍ୟ ବଦଳୁଛି । ସର୍ଦ୍ଦାର ପଟେଲ ସିଭିଲ ସେବାକୁ ଭାରତର “ଷ୍ଟିଲ୍ ଫ୍ରେମ୍” ବୋଲି ଅଭିହିତ କରିଥିଲେ । ଆଜି, ପ୍ରଯୁକ୍ତିବିଦ୍ୟାର ବିକାଶ ସହିତ ଯେତେବେଳେ ଷ୍ଟିଲକୁ ଅଧିକ ଶକ୍ତିଶାଳୀ କରାଯାଉଛି, ଆମକୁ ସମୟ ଅନୁସାରେ ନିଜକୁ ବିକଶିତ କରିବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ଦ୍ଧାରିତ ବିକଶିତ ଭାରତ- ୨୦୪୭ର ସଂକଳ୍ପକୁ ପୂରା କରିବା ପାଇଁ ଆମକୁ ସମୟୋପଯୋଗୀ ଢାଞ୍ଚା ତିଆରି କରିବା ଦରକାର । ସମସ୍ତଙ୍କୁ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠାରେ ନିର୍ବାହ କରିବାକୁ ପଡ଼ିବ । ଯେତେବେଳେ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ପାଳନ କରିବେ, ସେତେବେଳେ ୧୪୦ କୋଟି ଦେଶବାସୀଙ୍କର ଅଧିକାର ସୁରକ୍ଷିତ ଓ ସଶକ୍ତ ରହିବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।