jayashree

ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଗର୍ବ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ଅବଦାନକୁ ସମ୍ମାନ ଜଣାଇ ବଲାଙ୍ଗିରର ସମସ୍ତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ପ୍ରତିନିଧି ଦଳ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସମାଜସେବା କ୍ଷେତ୍ରରେ ଏକ ଅନନ୍ୟ ବ୍ୟକ୍ତିତ୍ୱ ଲଳିତ କୁମାର ନାୟକ କେବଳ ବଲାଙ୍ଗିର ନୁହେଁ, ବରଂ ସମଗ୍ର ରାଜ୍ୟ ପାଇଁ ସମାଜସେବାର ଏକ ଜ୍ୱଳନ୍ତ ଉଦାହରଣ ଥିଲେ । ଦୀର୍ଘ ୪୦ ବର୍ଷ ଧରି ସେ ନିଜକୁ ଜନସେବାରେ ଉତ୍ସର୍ଗ କରିଥିଲେ । ଶ୍ରମିକ ଓ ମୂଲିଆଙ୍କ ହକ ପାଇଁ ସେ ସର୍ବଦା ସ୍ୱର ଉତ୍ତୋଳନ କରୁଥିବା ସହ ସମଗ୍ର ରାଜ୍ୟରେ ଜଣେ ଚର୍ଚ୍ଚିତ ରକ୍ତଦାତା ଭାବେ ସେ ପରିଚିତ ଥିଲେ ଏବଂ ହଜାର ହଜାର ଯୁବକଙ୍କୁ ଏଥିପାଇଁ ଅନୁପ୍ରାଣିତ କରିଥିଲେ । ରିକ୍ସା ଚାଳକ ସଂଘଠାରୁ ଆରମ୍ଭ କରି ଶତାଧିକ ସାମାଜିକ ଅନୁଷ୍ଠାନକୁ ସେ ନେତୃତ୍ୱ ପ୍ରଦାନ କରିଥିଲେ । ଅଜଣା ଶବ ସଂସ୍କାର ଠାରୁ ଆରମ୍ଭ କରି ରୋଗୀ ସେବା ପର୍ଯ୍ୟନ୍ତ, ପ୍ରତିଟି କ୍ଷେତ୍ରରେ ତାଙ୍କର ଉପସ୍ଥିତି ବଲାଙ୍ଗିରବାସୀଙ୍କୁ ଆଶ୍ୱାସନା ଦେଉଥିଲା । ପ୍ରତିନିଧି ଦଳ ପକ୍ଷରୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଲଳିତ ବାବୁଙ୍କ ଦେହାନ୍ତକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସହରରେ ତାଙ୍କର କୌଣସି ସ୍ମୃତି ରକ୍ଷା କରାଯାଇନାହିଁ । ବଲାଙ୍ଗିର ସହରର ଏକ ମୁଖ୍ୟ ଛକରେ ସ୍ୱର୍ଗତ ନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ : ସମ୍ପୃକ୍ତ ମୁଖ୍ୟ ଛକକୁ ତାଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହା ଦ୍ୱାରା ତାଙ୍କର ନିସ୍ୱାର୍ଥପର ସେବାକୁ ସହରବାସୀ ସ୍ମରଣ କରିପାରିବେ । ତା’ସହ ବଲାଙ୍ଗିର ସ୍ଥିତ ଶ୍ରମିକ ମଙ୍ଗଳ ଭବନର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଦାବି ହୋଇଛି, ଯାହା ସହିତ ଲଳିତ ବାବୁଙ୍କ ଭାବପ୍ରବଣତା ଜଡ଼ିତ ରହିଛି । “ଏହି ମହାନ ବ୍ୟକ୍ତିତ୍ୱଙ୍କ ଋଣ ପରିଶୋଧ କରିବା ଅସମ୍ଭବ, କିନ୍ତୁ ତାଙ୍କ ନାମରେ ଏକ ଛକ ଓ ପ୍ରତିମୂର୍ତ୍ତି ସ୍ଥାପନ କରାଗଲେ ଏହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ପୌରପରିଷଦ ଏହା ଉପରେ ସହାନୁଭୂତିର ସହ ବିଚାର କରିବାକୁ ଅନୁଷ୍ଠାନଗୁଡ଼ିକ ଅନୁରୋଧ କରିଛନ୍ତି । ପୌରାଧ୍ୟକ୍ଷା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏହାକୁ ଯଥା ଶୀଘ୍ର କାର୍ଯ୍ୟରେ ପରିଣତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ପ୍ରଭାକର ମିଶ୍ର, ରତନ ମହାରଣା, ପ୍ରଭାସ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ନାୟକ, ସୋମନାଥ ମିଶ୍ର, କିଶୋର ମିଶ୍ର, ଲମ୍ବୋଦର ସାଏ, ଅମୂଲ୍ୟ ସେଠ, ମଧୁସୂଦନ ସୁନା, ଘନ ପଶାୟତ, ଗୋବିନ୍ଦ ଶତପଥି, ଉତ୍ତମ ନନ୍ଦ, ବିକାଶ ସା, କାହ୍ନକ୍ଷ ଶତପଥି, ସୁଧାଂଶୁ ମିଶ୍ର, ବ୍ରଜ ଗୋପାଳ ସିଂ, ବିବେକାନନ୍ଦ ପଟେଲ, ଦେବାଶିଷ ଦାସ, ତାପସ ମହାନ୍ତି, ମନୋଜ ଖେତୀ, ବିଧୁଭୂଷଣ ତ୍ରିପାଠୀ, ସଂଜୀବ ସାହୁ, ପଞ୍ଚାନନ ପଟ୍ଟନାୟକ, ହରିଶଙ୍କର ଛତ୍ରିଆ, ବିଭସ ଘଡେଇ, ଲଳିତ ପୁଝାରୀ, ଅରୁଣ ନାଏକ, ମୁକେଶ ପଧାନ, ବୁଲୁ ମହାକୁର, କନ୍ଦର୍ପ ରଣା, ପ୍ରିତମ ବରା଼ଡ, ବାପିନା ମହାରଣା, ଆଶିଷ ସିଂ ସହ ବହୁ ଅନୁଷ୍ଠାନର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.