
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳାଙ୍କୁ ଅକାରଣରେ ଅସଦାଚରଣ କରି ପରେ ମାଡ଼ମାରି ଲହୁଲୁହାଣ କରିବା ଭଳି ଗମ୍ଭୀର ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ୍ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ (ସ୍ୱେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ଗାରାବନ୍ଧ ଥାନା ଅନ୍ତର୍ଗତ ଗୌଡ଼ ତଲସିଂ ଗ୍ରାମର ବିନୋଦ ପରିଚ୍ଛାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ଏପିପି ସୌମ୍ୟ ସୌରଭ ପଟ୍ଟନାୟକ ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗାରାବନ୍ଧ ଥାନା ଅନ୍ତର୍ଗତ ଗୌଡ଼ ତଲସିଂ ଗ୍ରାମର ଏତଲାକାରିଣୀ ପାସ୍ପୁ ରେଡ୍ଡୀ ପୁନି (୪୦ବର୍ଷ) ତା ୧୯-୦୭-୨୦୨୨ରିଖ ଦିନ ସକାଳ ସମୟରେ ଘରେ ଏକା ଥିବା ସମୟରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଘରକୁ ଆସି ଅକାରଣରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଝଗଡ଼ା ଆରମ୍ଭ କରି ଗାଁ ଦାଣ୍ଡରେ ଏତଲାକାରିଣୀଙ୍କ ଚୁଟି ଭିଡି ମାଡ଼ମାରି କ୍ଷତାକ୍ତ କରିବା ସହ ପିନ୍ଧିଥିବା ବ୍ଲାଉଜ ଓ ଶାଢ଼ୀ ଚିରି ନିର୍ବସ୍ତ୍ର କରିବାକୁ ବି ପଛେଇ ନଥିଲେ । ପରେ ଅଭିଯୁକ୍ତଙ୍କ ସ୍ତ୍ରୀ ଓ ଝିଅ ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ଅଭିଯୁକ୍ତ ଏତଲା କାରିଣୀଙ୍କୁ ପୋଲିସରେ ଜଣାଇଲେ ପରିସ୍ଥିତି ଖରାପ ହେବାର ଧମକ ଦେଇ ସେ ସ୍ଥାନ ଛାଡି ଚାଲିଯାଇଥିଲେ । ଶେଷରେ ନିଜ ଜୀବନ ପ୍ରତି ବିପଦର ଆଶଙ୍କା କରି ବାଧ୍ୟ ହୋଇ ଏହି ଘଟଣାକୁ ନେଇ ଏତଲାକାରିଣୀ ସେହିଦିନ ହିଁ ଗାରାବନ୍ଧ ଥାନାରେ ମାମଲା ନମ୍ବର ୬୨/୨୦୨୨ରେ ଏକ ମାମଲା ରୁଜୁ କରିଥିଲେ । ତତ୍କାଳୀନ ଏ.ଏସ.ଆଇ. ସନ୍ତୋଷ କୁମାର ବେହେରା ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ । ଶେଷରେ ଏତଲାକାରିଣୀଙ୍କ ପକ୍ଷରୁ ୬ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ଦସ୍ତାବିଜ ଓ ମୁଦଲାଙ୍କ ପକ୍ଷରୁ ୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ହଜାର ଟଙ୍କା ଜୋରିମାନାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।