
ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ (NIT) ରାଉରକେଲାର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ NIT ରାଉରକେଲାରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଅଧୀନ ଡିପ୍ ଓସିଆନ ମିଶନ ଅନ୍ତର୍ଗତ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ୫.୦ କାର୍ଯ୍ୟକ୍ରମ ଅଧୀନରେ ଏହା ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ପରିଷ୍କାର ସମୁଦ୍ର, ସାମୁଦ୍ରିକ ପରିସଂସ୍ଥା ଓ ସାମୁଦ୍ରିକ ପରିବେଶ ସୁରକ୍ଷା ପାଇଁ ସାମୂହିକ କାର୍ଯ୍ୟର ଆବଶ୍ୟକତା ବିଷୟରେ ସଚେତନ କରିବା ଏହାର ଉଦ୍ଦେଶ୍ୟ ଥିଲା । କେନ୍ଦ୍ରୀୟ ବିଦ୍ୟାଳୟର ୧୫୦ ଜଣ ଛାତ୍ରଛାତ୍ରୀ ପୋଷ୍ଟର ପ୍ରତିଯୋଗିତାରେ ଭାଗ ନେଇ ସମୁଦ୍ର ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ନିଜର ଚିନ୍ତା ଓ ସୃଜନଶୀଳତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ନରେଶ କୃଷ୍ଣା ଭିସା ଓ ବିଭାଗର ଅଧ୍ୟାପକମାନେ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି NIT ରାଉରକେଲାର ଡିନ୍ (SRICCE) ପ୍ରଫେସର ସୌରଭ ଚାଟାର୍ଜୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କହିଥିଲେ, “ଆମେ ସାମୁଦ୍ରିକ ଉଦ୍ଭିଦ ଓ ପ୍ରାଣୀଙ୍କୁ ସଂରକ୍ଷଣ କରିବା ସହ ସମୁଦ୍ରରେ ପ୍ରଦୂଷଣ ହ୍ରାସ ପାଇଁ କାମ କରିବା ଉଚିତ । ସମୁଦ୍ର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ, ଭବିଷ୍ୟତ ପାଇଁ ଏହାକୁ ପରିଷ୍କାର ଓ ସୁସ୍ଥ ରଖିବାରେ ଆମ ସମସ୍ତଙ୍କ ଭୂମିକା ଅଛି ।” ପ୍ରଫେସର ଭିସା ଯୁବପିଢ଼ିଙ୍କୁ ଉପକୂଳ କ୍ଷୟ, ସାମୁଦ୍ରିକ ଆବର୍ଜନା ଓ ପ୍ରଦୂଷଣରୁ ସାମୁଦ୍ରିକ ପରିସଂସ୍ଥାକୁ ରକ୍ଷା କରିବାରେ ସକ୍ରିୟ ଅଂଶଗ୍ରହଣ ପାଇଁ ଆହ୍ୱାନ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପି. ନୀରଜା ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ୫.୦ ରେ ସକ୍ରିୟ ଅଂଶଗ୍ରହଣ ଓ ସଚେତନତା ପ୍ରସାର ପାଇଁ ଉତ୍ସାହିତ କରିଥିଲେ । ପରିଷ୍କାର ଓ ସୁରକ୍ଷିତ ସମୁଦ୍ର ପାଇଁ ଶପଥ ପାଠ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

