
- ଲହୁଲୁହାଣ ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବଡ଼ଅନକି ଗ୍ରାମରେ କାର୍ଯ୍ୟରତ ଜଣେ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ବିଏଲ୍ଓ ତଥା ବଡ଼ଅନକି ବିଦ୍ୟାଳୟର ଶିକ୍ଷକ କୃପାସିନ୍ଧୁ ବରିହା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ, ରବିବାର କୃପାସିନ୍ଧୁ ନିଜର ସରକାରୀ ଦାୟିତ୍ୱ ତୁଳାଇବା ପାଇଁ ଗାଁରେ ଘରକୁ ଘର ବୁଲୁଥିଲେ । ଏହି ସମୟରେ ଭୋଟର ତାଲିକାରୁ ନାମ କାଟିବା ଓ ସଂଶୋଧନକୁ ନେଇ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ପରେ ଯୁବକ ଜଣକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ପରେ କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଖବର ପାଇ ଝାରବନ୍ଧ ବିଡିଓ ପର୍ଶୁରାମ ପଣ୍ଡା ମଧ୍ୟ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଆହତ ବିଏଲ୍ଓଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ତେବେ ମାଡ଼ ମାରିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବିଡିଓ କହିଛନ୍ତି । ଅନ୍ୟପକ୍ଷରେ ଖବର ଲେଖା ହେବା ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଝାରବନ୍ଧ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ସୂଚନା ଦେଇଛନ୍ତି ।