mahavir

ନୂଆପଡ଼ାରେ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ର ଦ୍ୱିତୀୟ ଦିବସରେ ଯୋଗ, ଆତ୍ମରକ୍ଷା ପ୍ରଶିକ୍ଷଣ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲାରେ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପାଳନ ଉପଲକ୍ଷେ ସମାରୋହର ଦ୍ୱିତୀୟ ଦିବସରେ ଆତ୍ମରକ୍ଷା, ଯୋଗ ଓ ଶାରୀରିକ ବ୍ୟାୟାମ ଉପରେ ପ୍ରଶିକ୍ଷଣ ଓ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଶିବିରରେ ୩୯୧ ଜଣ ବାଳିକା ଓ ମହିଳା ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଅଭିଭାବକମାନେ ମଧ୍ୟ ଯୋଗଦାନ କରିଥିଲେ । ଯୋଗଗୁରୁ ଶଶୀ ଭୂଷଣ ପାଣିଗ୍ରାହୀ ସମସ୍ତଙ୍କୁ ଯୋଗାଭ୍ୟାସ କରାଇ ଥିବାବେଳେ ଦେବବ୍ରତ ସାହୁ ଶାରୀରିକ ବ୍ୟାୟାମ ଅଭ୍ୟାସ କରାଇଥିଲେ । ଏହାସହ ଶ୍ରୀମତୀ ନିରୂପମା ପଟେଲ ଆତ୍ମରକ୍ଷା ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ, ପ୍ରାଣାୟାମ, ଶାରୀରିକ ବ୍ୟାୟାମ ଓ ଖେଳକୁଦ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଶିବିର ପରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ଏହି ଷ୍ଟାଡିୟମରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ମଧ୍ୟରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହାକୁ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଓ ଡେପୁଟି କଲେକ୍ଟର ବିଜୟ କୁମାର ଛତ୍ରିଆ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଯୋଗଗୁରୁ ଶଶୀଭୂଷଣ ପାଣିଗ୍ରାହୀ ଓ ଶ୍ରୀମତୀ ନିରୂପମା ପଟେଲଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆସନ୍ତାକାଲି ଆୟୋଜିତ ହେବାକୁଥିବା ‘ପାୱାର ୱାକ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.