ଭାରତୀୟ ଯୁବ ହଷ୍ଟେଲସର ମୁକ୍ତ ସନ୍ତରଣ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ମୁକ୍ତ ସନ୍ତରଣ ପ୍ରତିଯୋଗିତା ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଭାଗରେ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ବିଭିନ୍ନ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାକୁ ପତାକା ଦେଖାଇ ଆର୍‌ଏସପିର ସହର ପ୍ରଶାସନ ଓ ସିଏସଆର୍ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଶୁଭାରମ୍ଭ କରିଥିଲେ । ସକାଳ ୭ ଘଟିକା ସମୟରେ ରାଉରକେଲା କ୍ଲବ ସଭ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସକାଳ ୯ ଘଟିକା ସମୟରେ ମୁକ୍ତ ସନ୍ତରଣ ପ୍ରତିଯୋଗିତା ବିଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିଲା । ମହିଳା ଓ ପୁରୁଷ ବର୍ଗରେ ଫ୍ରି ଷ୍ଟାଇଲ ଓ ବ୍ୟାକ ଷ୍ଟ୍ରୋକ ପ୍ରତିଯୋଗିତା ୪ଟି ଗ୍ରୁପ୍‌ରେ ଅନୁଷ୍ଠିତ ହେବାପରେ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍‌ଏସପିର ନିର୍ବାହୀ ନିର୍ଦ୍ଦେଶକ (ସାମଗ୍ରୀ ପରିଚାଳନା) ସୋମନାଥ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ସନ୍ତରଣ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ମାନସିକ ସ୍ତରରେ ଅଭିବୃଦ୍ଧି ହେବା ସହିତ ସ୍ୱାସ୍ଥ୍ୟ ସମୃଦ୍ଧି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଯୁବ ହଷ୍ଟେଲସ ରାଉରକେଲା ଶାଖା ଉପସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଉରକେଲା କ୍ଲବର ସମ୍ପାଦକ ମାନସ ମହାରଣା, କୋଷାଧ୍ୟକ୍ଷ ମନୋରଞ୍ଜନ ଶର୍ମା, ଯୁବ ହଷ୍ଟେଲସ ରାଉରକେଲା ଶାଖା ଅଧ୍ୟକ୍ଷ ବୁଦ୍ଧଦେବ ବାସୁ, ଜାତୀୟ ପରିଷଦ ସଭ୍ୟ ନିରଞ୍ଜନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପ୍ରତିଯୋଗିତାରେ ରାଉରକେଲା କ୍ଲବ ଗ୍ରୁପ୍‌ରୁ ୭୮ ଜଣ ଏବଂ ମୁକ୍ତ ସନ୍ତରଣ ପ୍ରତିଯୋଗିତାରେ‌‌ ୧୦୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଓ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ପୂର୍ବରୁ ସଭାପତି ଶ୍ରୀ ସ୍ୱାଇଁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସାଗରିକା ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଜାତୀୟ ପରିଷଦ ସଦସ୍ୟ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାକୁ ଯୁବ ହଷ୍ଟେଲସ ପରିବେଶ ସୁରକ୍ଷା ସମିତିର ଅଧ୍ୟକ୍ଷ ଡ଼. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ନେତୃତ୍ୱରେ ରବି ଦାସ, ସରୋଜ ପଟ୍ଟନାୟକ, ଦେବାଶିଷ ମହାନ୍ତି, ଆଶିଷ ବିର୍ସା ହେମ୍ବ୍ରମ, ସଚ୍ଚିଦାନନ୍ଦ ଲେଙ୍କା, ନିରଞ୍ଜନ ସାମଲ, ସମରକାନ୍ତ ମଲ୍ଲିକ, ସରୋଜ ପାତ୍ର, ରଞ୍ଜନ ବାରିକ, ପି ବି ସାଜି, ଲୁସି ଦାଶ, ସୁଚିତ୍ରା ମଲ୍ଲିକ, ଶାନ୍ତା କୋଲା, ବୀଣାପାଣି ଦାସ, ମିନାକ୍ଷୀ ପାଢ଼ୀ, କାପ୍ରା ହାଂସଦା, ଶାନ୍ତି ଦାସ, ଇନ୍ଦିରା ପଟ୍ଟନାୟକ, ଶ୍ରଧା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ବୈଷୟିକ କାର୍ଯ୍ୟକୁ ରାଉରକେଲା କ୍ଲବର ଅରୁଣ ସାମଲ, ଯୁଗଳ କିଶୋର ମୁଣ୍ଡାରୀ, ପ୍ରେମ ପ୍ରକାଶ ଏକ୍କା, ଧନରାଜ ସିଂହ ଓ ବିଷ୍ଣୁ ଚରଣ ନାୟକ ସମ୍ପାଦନା କରିଥିଲେ ।

Leave A Reply

Your email address will not be published.

five × 3 =