
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ ଟି ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭାରମ୍ଭ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର ଲୋକନାଥ ଦେବ ସରକାରୀ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର ପି.ଏମ.ଶ୍ରୀ ଗଙ୍ଗାପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଶ୍ରୀ ସୁନ୍ଦେରଶ୍ୱର ଉନ୍ନୀତ ଉଚ୍ଚବିଦ୍ୟାଳୟ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁନ୍ଦରେଶ୍ୱର ଉନ୍ନୀତ ଉଚ୍ଚବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଶିଶୁମାନଙ୍କର ଉଜ୍ୱଳ ଭବିଷ୍ୟତ, ଉତ୍ତମ ଶିକ୍ଷା ଓ ସଶକ୍ତ ଓଡ଼ିଶା ଗଢ଼ିବା ନେଇ ମତପୋଷଣ କରିଥିବା ବେଳେ ପିଏମଶ୍ରୀ ଗଙ୍ଗାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ପରିଷଦର ନିର୍ବାହୀ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ସମୀର ଜେନା ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଆଦର୍ଶ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆଗାମୀ ପୀଢ଼ିଙ୍କ ପାଇଁ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଛତ୍ରପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ବ୍ଲକ୍ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା, ବୈଷୟିକ ପରାମର୍ଶଦାତା ଦିପ୍ତିମୟୀ ନାୟକ, ୧୯ ନମ୍ବର ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ୨୧ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଛବିତାରାଣୀ ବେହେରା, ପୋଟ୍ଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା, ସମିତିସଭ୍ୟା ସୁଜ୍ଞାନୀ ସେଠୀ ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାର ଅନ୍ୟ ବିଦ୍ୟାଳୟ ମଧ୍ୟରେ , ବୁଗୁଡ଼ା, ରଙ୍ଗେଇଲୁଣ୍ଡା, ଧରାକୋଟ ଓ ଖଲ୍ଲିକୋଟ, ଜଗନ୍ନାଥପ୍ରସାଦ ବ୍ଲକର ଗୋଟାଏ ଗୋଟାଏ ବିଦ୍ୟାଳୟକୁ ଦ୍ୱିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଛି ବୋଲି କୁହାଯାଇଛି । ଆଗାମୀ ୪ ବର୍ଷରେ ରାଜ୍ୟରେ ମୋଟ ୨୨ଶହ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।