jayashree

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ସ୍ୱତନ୍ତ୍ର ସାଧାରଣ ସଭା : ସଂକୀର୍ତ୍ତନ କଳାକାରଙ୍କୁ ଅବହେଳା କରୁଥିବାରୁ କ୍ଷୋଭ ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଏକ ସ୍ୱତନ୍ତ୍ର ସାଧାରଣ ସଭା ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପରିଷଦର ଉପ-ସଭାପତି ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଂକୀର୍ତ୍ତନ କଳାକାରମାନଙ୍କୁ ମାନ୍ୟତା ଦେବାରେ ସରକାର ଟାଳଟୂଳ ନୀତି ଅବଳମ୍ବନ କରି ଅବହେଳା କରୁଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା । ପୁନଶ୍ଚ ସଂକୀର୍ତ୍ତନକୁ ଅବହେଳା କରୁଥିବାରୁ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ ସଭାପତି ବାବା ପଞ୍ଚଦେବଙ୍କ ନେତୃତ୍ୱରେ ସରକାରଙ୍କ ଠାରେ ପ୍ରତିବାଦ କରୁଥିବାରୁ ଆଜିର ସଭାରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ପାଇଁ ପ୍ରସ୍ତାବ ଆଗତ ହୋଇଛି । ଭବିଷ୍ୟତରେ ଯଦି ଉଚିତ ନ୍ୟାୟ ନ ମିଳେ ବାବା ପଞ୍ଚଦେବଙ୍କ ନତୃତ୍ୱରେ ପରିଷଦ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛି । ଏହି ସଭାରେ ସମ୍ବଲପୁର ଜିଲ୍ଲା ସଂପାଦକ ସନ୍ତୋଷ ବାରିକ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଭାରୀ ରାଧେକୃଷ୍ଣ ପଣ୍ଡା ସମସ୍ତେ ଏକ ହୋଇ ସଂକୀର୍ତ୍ତନର ପୂର୍ବ ପରମ୍ପରାକୁ ବଞ୍ଚାଇବାପାଇଁ ଉଦବୋଧନ ଦେଇଥିଲେ । ବରିଷ୍ଠ ସଦସ୍ୟ ରାଧାକାନ୍ତ ପାଣିଗ୍ରାହୀ ଏବଂ ବିନିକା ବ୍ଲକ ସଂଯୋଜିକା ସବିତା ପାଣିଗ୍ରାହୀ ସଂକୀର୍ତ୍ତନରେ ଅପସଂସ୍କୃତି ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ କରିଥିଲେ । ପରିଷଦର ସଂମ୍ପାଦକ ମାନଭଞ୍ଜନ ନାୟକ ସମସ୍ତେ ତାଙ୍କୁ ସହଯୋଗ କଲେ ପରିଷଦକୁ ବହୁ ଆଗକୁ ନେଇ ସଂକୀର୍ତ୍ତନ ପରମ୍ପରା ବଜାୟ ରଖିପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ଆଲୋଚନାରେ ମୁଖ୍ୟ ଉପଦେଷ୍ଟା ବଲାଙ୍ଗିରର ଡ. ଶ୍ରୀକର ମିଶ୍ର, ସୋନପୁରର ବରିଷ୍ଠ ସଦସ୍ୟ ସନ୍ତୋଷ ସାହୁ, ଉପଦେଷ୍ଟା କରମଚାନ୍ଦ ମହାନ୍ତି, ବରଗଡର ଦୁର୍ଯ୍ୟୋଧନ ଛନ୍ଦ, ସମ୍ବଲପରୁର କୃଷ୍ଣଚନ୍ଦ୍ର ବଢେଇ, କଳାହାଣ୍ଡିର ଲାବନ୍ୟ ସ୍ୱାଇଁ, ଧନଞ୍ଜୟ ବାରିକ, ସହ-କୋଷାଧ୍ୟକ୍ଷ୍ୟ ଅରୁଣ ସାହୁ ତଥା ବଲାଙ୍ଗିରର ସଂଯୋଜକ ଭରତ ସାହୁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ପରିଷଦର ସଂଯୋଜକ ତୁଷାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.