ବଲାଙ୍ଗିର, (କେପିଏନ୍ଏସ୍) : ଗତ ୧୦ ତାରିଖ ରାତିରେ ବଲାଙ୍ଗିର ଟାଉନ୍ ପୋଲିସ ଜଣେ ବୃଦ୍ଧା ମା’ ଗୀତାଦେବୀ ଅଗ୍ରୱାଲଙ୍କ ଶବ ବସ୍ତ୍ରହୀନ ଅବସ୍ଥାରେ ସୁଦପଡ଼ା ନୂଆ ହନୁମାନ ମନ୍ଦିର ପଛ ପଟେ ରହିଥିବା ଏକ ଘରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ମନୋଜ କୁମାର ଅଗ୍ରୱାଲ (୫୦)ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ । ଘରେ ପୁଅ ମନୋଜ ସହ ମା’ ରହୁଥିଲେ । ମା’ ପାମ୍ପଡ୍ ତିଆରି କରି ବୁଲି ବୁଲି ବିକ୍ରି କରି ପରିବାର ଚଳାଉଥିବା ବେଳେ ଯୁଆନ୍ ମଦୁଆ ପୁଅ ମା’ଙ୍କ ରୋଜଗାରରୁ ଚଳୁଥିଲେ । କେବଳ ସେତିକି ନୁହେଁ, ମା’ଙ୍କ ଠୁ ଜୋର୍ ଜବର୍ଦସ୍ତ ଟଙ୍କା ନେଇ ମଦ ପିଉଥିଲେ ମନୋଜ । ଏହି ଘଟଣାରେ ପୁଅ ମନୋଜଙ୍କୁ ପୋଲିସ ଅଟକ ରଖିଥିଲା । ମୃତ ମହିଳାଙ୍କ ଝିଅ ସୁଶୀଲା ଅଗ୍ରୱାଲ ଭାଇ ମନୋଜ କୌଣସି କାମ କରୁନଥିବା ବେଳେ ମା’ଙ୍କ ରୋଜଗାରରେ ଚଳୁଥିବା କହିଥିଲେ । ତେବେ ମୃତଦେହ ଉଦ୍ଧାର ହେବାର ଦୁଇ ତିନି ଦିନ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ପୋଲିସ ଉଦ୍ଧାର କରିବା ସମୟରେ ଶବଟି ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା । ମୃତ ବୃଦ୍ଧାଙ୍କ ନାତି ରାଧାରାଣୀପଡ଼ାର ଶଙ୍କର ଅଗ୍ରୱାଲଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତ ବୃଦ୍ଧାଙ୍କ ହତ୍ୟାକାରୀ ତାଙ୍କ ଜନ୍ମକଲା ପୁଅ ମନୋଜ ବୋଲି ଜାଣିବା ପରେ ପୋଲିସ ମନୋଜଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।