pakka

ନିଜ ଶ୍ରେଣୀର ଶତ ପ୍ରତିଶତ ପିଲା “ୟୁଟ୍ୟୁବ”ରେ ପାଠ ପଢ଼ିବା ପାଇଁ ଶିକ୍ଷକ ଦିବସଙ୍କ ଉଦ୍ୟମ : ଛାତ୍ରଛାତ୍ରୀଙ୍କ ପାଇଁ କିଣିଲେ ମୋବାଇଲ ଫୋନ୍‌

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଗତବର୍ଷ ଠାରୁ ବନ୍ଦ ହୋଇଛି । ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୁରା ଠପ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଗତବର୍ଷ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଜରିଆରେ ଯେଉଁ ସବୁ ପିଲାମାନଙ୍କ ପାଖରେ ମୋବାଇଲ ଫୋନ ଥିଲା ସେମାନେ ପାଠ ପଢିଥିଲେ ଯେଉଁଥିରେ ଅଧିକାଂଶ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିବା ଖବର ରହିଛି । ଏହି ବର୍ଷ ଜୁନ ୨୧ ତାରିଖରୁ ରାଜ୍ୟରେ ୟୁଟ୍ୟୁବ ମାଧ୍ୟମରେ ପାଠପଢ଼ା କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାକି ସ୍ୱାଗତଯୋଗ୍ୟ ମାତ୍ର ଅଧିକାଂଶ ପିଲାମାନଙ୍କ ଅଭିଭାବକ ମାନଙ୍କ ପାଖରେ ମୋବାଇଲ ଫୋନ ନଥିବାରୁ ଏହାର ଫାଇଦା ଉଠେଇ ପାରୁନଥିବା ଅଭିଯୋଗ ହେଉଛି, ଯାହାକି ବିଭିନ୍ନ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରୁଛି । ଠିକ୍‌ ଏହି ସମୟରେ ଜଣେ ଯୁବ ଶିକ୍ଷକଙ୍କ ଉଦ୍ୟମକୁ ବରଗଡ଼ ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଦିବସ କୁମାର ସାହୁ, ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ରୂପେ ଅଂଚଳରେ ପ୍ରସିଦ୍ଧି ଲାଭ କରିଛନ୍ତି । ନିଜ ବିଦ୍ୟାଳୟର ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହ ତାଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି । ବର୍ତ୍ତମାନ କରୋନା ମହାମାରୀ ବେଳରେ ରାଜ୍ୟ ସରକାରଙ୍କ ସମୟୋପଯୋଗୀ “ୟୁଟ୍ୟୁବ” ପାଠକୁ ସଫଳତା ସହ ସମ୍ପାଦନ କରିବାକୁ ଅଣ୍ଟା ଭିଡିଛନ୍ତି ଦିବସ । ତାଙ୍କୁ ମିଳିଥିବା ଦାୟିତ୍ୱ ଅନୁଯାୟୀ ତାଙ୍କ ଅଷ୍ଟମ ଶ୍ରେଣୀର ଶତ ପ୍ରତିଶତ ଛାତ୍ରଛାତ୍ରୀ କିଭଳି ଭାବେ ୟୁଟ୍ୟୁବରେ ପାଠ ପଢିପାରିବେ ତାହା ପାଇଁ ସେ ଚିନ୍ତାକରି ଯେଉଁ ପିଲାମାନଙ୍କ ପାଖରେ ମୋବାଇଲ ଫୋନ ଥିଲା ତାଙ୍କୁ ନିଜ ପକେଟରୁ ଖର୍ଚ୍ଚ କରି ମୋବାଇଲ କିଣି ଦେଇଛନ୍ତି ଯାହାଫଳରେ ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ୟୁଟ୍ୟୁବରେ ପାଠ ପଢ଼ିବା ନିମନ୍ତେ ସାଧନ ଉପଲବ୍ଧ ଅଛି । ବର୍ତ୍ତମାନ ତାଙ୍କ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ସେଥିମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସେ ମୋବାଇଲ କ୍ରୟ କରି ଉପହାର ଦେଇଛନ୍ତି । ଶିକ୍ଷକଙ୍କ ଏହି ମହତ କାର୍ଯ୍ୟକୁ ଅଭିଭାବକ ମାନେ ଉଚ୍ଚ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ଏକ ଯୁକ୍ତାତ୍ମକ ବାର୍ତା ପ୍ରଦାନ କରିବ ବୋଲି ମତପ୍ରକାଶ କରିଛନ୍ତି । ଅଗାମୀ ଦିନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କିଭଳି ଭାବେ ୟୁଟ୍ୟୁବ ପାଠ ପଢିପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶିକ୍ଷକ ଦିବସ କୁମାର ସାହୁ ଗତବର୍ଷ ମଧ୍ୟ ଅନୁରୂପ ଭାବରେ ତାଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼େଇବା ନିମନ୍ତେ ଦୁଇଜଣ ସ୍ୱେଚ୍ଛାସେବୀଙ୍କୁ ପାରିଶ୍ରମିକ ଦେଇ ନିଯୁକ୍ତ କରିଥିଲେ ଯାହାକୁ ସ୍ଥାନୀୟ ଲୋକେ ଭୁୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

nineteen − 2 =