
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ସ୍ଥିତ କଲୋନୀପଡାରେ ଶୁକ୍ରବାର ସନ୍ଧ୍ୟାବେଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଜଣେ ଯୁବତୀଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଲାଠୋର ଅଞ୍ଚଳର ଫକୀର ପୁଟେଲ ନାମକ ବ୍ୟକ୍ତି କଲୋନୀପଡାର ଦେବରାଜ ପୁଟେଲଙ୍କ ଝିଅ ଲିଜା ପୁଟେଲଙ୍କୁ ହଠାତ୍ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଲିଜା ରକ୍ତାକ୍ତ ହୋଇ ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ଲାଠୋର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବତୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଘଟଣା ପରେ ଅଭିଯୁକ୍ତ ଫକୀର ପୁଟେଲ ଫେରାର ହୋଇଯାଇଥିବା ବେଳେ, ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି । ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।