ପିଏଚ୍‌ଡ଼ି ପାଇଲେ ଗୁଦେରପାଲି ଦେବତା ପରିବାରର ଝିଅ ଅଧ୍ୟାପିକା ନୀଲମ୍ ଦେବତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ଜାମୁଟପାଲି ଗାଁର ବ୍ୟାଙ୍କ କର୍ମଚାରୀ ସ୍ୱର୍ଗତ ହରିହର ଦେବତା ତଥା ଚାଷୀ ନେତା କିଶୋର ଚନ୍ଦ୍ର ଦେବତାଙ୍କ ଝିଆରୀ ନୀଲମ୍ ଦେବତା । ବରପାଲି ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପିକା ଶ୍ରୀମତୀ ଦେବତା ଗବେଷଣା ସଂପୂର୍ଣ୍ଣ କରି ଡକ୍ଟରେଟ୍ ଲାଭ କରିଛନ୍ତି । ତାଙ୍କ ସନ୍ଦର୍ଭ “The figure of the Morginalized in indian women’s fiction: Shifting perspectives”ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଏହାର ପରୀକ୍ଷା ନାଗାଲାଣ୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଏନ୍ ଡି ଆର ଚନ୍ଦ୍ରା ଏବଂ ଜନାର୍ଦ୍ଦନ ରାଏ ନଗର ରାଜସ୍ଥାନ ବିଦ୍ୟାପୀଠ ବିଶ୍ବବିଦ୍ୟାଳୟର ପ୍ରଫେସର ହେମେନ୍ଦ୍ର ସିଂ ଚନ୍ଦଳିଆ କରିଥିଲେ । ପ୍ରଫେସର ଡ଼.କାଳିଦାସ ମିଶ୍ରଙ୍କ ତତ୍ୱବଧାନରେ ସମସ୍ତ କାର୍ଯ୍ୟ ହୋଇଥିଲା । ଆହୁରି ମଧ୍ୟ ଶ୍ରୀମତୀ ଦେବତା ଗତ ୨୦୧୦ମସିହା ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ପାଇଥିଲେ । ଉକ୍ତ ଗବେଷଣା ଲବ୍ଧ ସଫଳତା ପାଇଁ ନିଜ ଦିଗ୍‌ଦର୍ଶକ ଡକ୍ଟର କାଳିଦାସ ମିଶ୍ରଙ୍କ ଅକୁଣ୍ଠ ସହଯୋଗ ପରିବାରର ସମସ୍ତଙ୍କ ପ୍ରେରଣା ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଗୁଦେରପାଲି ଦେବତା ପରିବାରର ଝିଅ ଶ୍ରୀମତୀ ନୀଲମ୍ (ଟୁଇଙ୍କିଲ) ତାଙ୍କର ଏହି ସଫଳତା ତାଙ୍କ ବାପା ସ୍ୱର୍ଗତ ହରିହର ଦେବତାଙ୍କ ପ୍ରେରଣା ବିନା ହୋଇ ନଥାନ୍ତା ବୋଲି କହିଛନ୍ତି । ସେ ବରଗଡ଼ ମିନିଷ୍ଟେଡିୟମ ନିକଟସ୍ଥ ବାସିନ୍ଦା ତଥା ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟରତ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀଙ୍କ ପତ୍ନୀ ଅଟନ୍ତି । ତାଙ୍କ ଏହି ସଫଳତା ପାଇଁ ଦେବତା ପରିବାର ତଥା ଗୁଦେରପାଲି ଅଞ୍ଚଳରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.