- ନଗର ଉନ୍ନୟନ ଅତିରିକ୍ତ ସଚିବଙ୍କ ଉପସ୍ଥିତିରେ ହେଲା ସମୀକ୍ଷା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଞ୍ଚଳର ପରିମଳ ବ୍ୟବସ୍ଥାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ବିଧାନସଭାର ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ଗୃହ କମିଟିର ନିର୍ଦ୍ଦେଶ କ୍ରମେ ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ କଲ୍ୟାନ କୁମାର ରଥ ବଲାଙ୍ଗିର ଗସ୍ତରେ ଆସିଥିଲେ । ପୂର୍ବରୁ ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ପରିବେଶ ଓ ପ୍ରଦୂଷଣ ସମସ୍ୟାକୁ ନେଇ ବଲାଙ୍ଗିର ବିଧାୟକ ଚିଠି ମାଧ୍ୟମରେ ପରିମଳ ବ୍ୟବସ୍ଥା ଉପରେ କିଛି ପ୍ରଶ୍ନର ଉତ୍ତର ଚାହିଁଥିଲେ । ସେ ସମ୍ବନ୍ଧରେ ଏକ ସବିଶେଷ ସମୀକ୍ଷା ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଗୃହ କମିଟି ନିର୍ଦ୍ଦେଶ କ୍ରମେ ଅତିରିକ୍ତ ସଚିବ ବଲାଙ୍ଗିର ଗସ୍ତ କରିଥିଲେ । ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସଏଙ୍କ ଉପସ୍ଥିତିରେ ହୋଇଥିବା ଏହି ସମୀକ୍ଷା ବୈଠକରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ପୌର ପରିଷଦର ଅପାରଗତା ଯୋଗୁଁ ସାରା ସହର ଆବର୍ଜନାମୟ ହେବା ସହ ପୌରାଞ୍ଚଳରେ ଥିବା ୧୬ ଗୋଟି ବନ୍ଧକଟାର ପାଣି ସମ୍ପୂର୍ଣ୍ଣ ଭାବରେ ମଣିଷ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଖୋଦ୍ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ପ୍ରଦାନ କରିଥିବା ସତ୍ୱେ ପୌର ପରିଷଦ ଏହା ଉପରେ କୌଣସି ପ୍ରକାର ପଦକ୍ଷେପ ନେଉନାହିଁ । ରାଣୀବନ୍ଧ, କରଙ୍ଗାକଟାର ପାଣି ବ୍ୟବହାର ଉପଯୋଗୀ କରିବା ପରିବର୍ତ୍ତେ କେବଳ ନିମ୍ନମାନର କଂକ୍ରିଟ ବାଡ ଦେଇ ସରକାରୀ ଅର୍ଥ ହରଣଚାଲ କରାଯାଉଛି । ସହରର ଯେ କୌଣସି ରାସ୍ତା ଦେଖିବେ ଡମ୍ପିୟାଡ୍ରେ ପରିଣତ ହେଲାଣି । ସଫେଇରେ ନିଯୁକ୍ତ ଘରୋଇ କଂପାନୀ ହେଉ କି ନିଜେ ପୌର ପରିଷଦ ନିଯୁକ୍ତି କରିଥିବା ସଫେଇ କର୍ମଚାରୀ ହୁଅନ୍ତୁ ସମସ୍ତେ କେବଳ ମିଥ୍ୟା ବିଲ୍ କରି ଟଙ୍କା ଚଳୁ କରିବାରେ ବ୍ୟସ୍ତ ବୋଲି ବିଧାୟକ ଶ୍ରୀ ମିଶ୍ର ଅଭିଯୋଗ କରିବା ସହ ଏହା ଉପରେ ସୁଧାର ନ ଆସିଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖିନ ହେବା ପାଇଁ ଅଧିକାରୀମାନେ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଥିଲେ । ଆଲୋଚନା ବେଳେ ମହାରାଣୀ ସାଗର କାମରେ କାହିଁକି ବିଳମ୍ବ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଯାହାକି ଉପସ୍ଥିତ ଥିବା ଅତିରିକ୍ତ ସଚିବ ଶ୍ରୀ ରଥ ମହାରାଣୀ ସାଗର ସହ ସହରରେ ଥିବା ସମସ୍ତ ବନ୍ଧ କଟାର ପୁନଃଉଦ୍ଧାର, ସୌନ୍ଦର୍ଯ୍ୟକାମ ପାଇଁ ତିଆରି ହୋଇଥିବା ଯୋଜନାକୁ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଗରୁ ଯାହା କିଛି ବି ଯୋଜନା ହାତକୁ ନିଆଯିବ ତା’ପାଇଁ ଦରକାର ହେଉଥିବା ପ୍ରତ୍ୟେକ ପର୍ଯ୍ୟାୟର କାମ ତାହା ବ୍ୟୟ ଅଟକଳ ହେଉ କି ପ୍ରକଳ୍ପ ରିପୋର୍ଟ ହେଉ ସେ ସବୁ କାମ ପାଇଁ ଏକ ଏକ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରି କାମ କରିବାକୁ ଉପସ୍ଥିତ ଥିବା ପୌର ଅଧିକାରୀ ସାମି ଜୟଶ୍ରୀ ରେଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଫେଇ କାର୍ଯ୍ୟରେ ଲିପ୍ତ ଥିବା ଘରୋଇ କଂପାନୀ ଯେପରି ଠିକ୍ ହିସାବରେ କାମ କରିବ ସେ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଆଲୋଚନା ହେବା ସହ ଘରକୁ ଘର ଆବର୍ଜନା ଉଠାଇବାର କାମ ଠିକ୍ ହିସାବରେ ହେଉନଥିବା ଆଲୋଚନା ହୋଇଥିଲା । ଦରକାର ପଡିଲେ ସହରର ସଫେଇ କାମ ପାଇଁ ସହରକୁ ଦୁଇ ଭାଗରେ ବିଭକ୍ତ କରି ଅଧିକ ଏଜେନ୍ସି ନିଯୁକ୍ତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଥିଲେ । ଦୁର୍ଘଟଣାକୁ ଆଖି ଆଗରେ ରଖି ସହର ମଧ୍ୟରେ ଗାଈ ଗୋରୁ, ନିର୍ମାଣ ସାମଗ୍ରୀ, ରାସ୍ତା ମଝିରେ ପକାଯାଇଥିଲା ଇଲେକ୍ଟ୍ରି ଖୁଣ୍ଟ ସବୁ ଅତିଶୀଘ୍ର ହଟାଯାଉ ବୋଲି ପୌର ଅଧିକାରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ବୈଠକରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବଙ୍କ ବ୍ୟତିତ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ପୌର ଅଧିକାରୀମାନେ ଉପସ୍ଥିତ ଥିଲେ ।