
ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଅଧୀନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଅନୁଷ୍ଠିତ ହୋଇଛି । ବ୍ଲକର ୧୬ଟି କ୍ଲଷ୍ଟରରେ ଏହି ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ପ୍ରାୟ ୧୮୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସମେତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପଦ୍ମଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳିତ ହୋଇଥିଲା । ୧୬ଟି କ୍ଲଷ୍ଟରରେ ନିୟୋଜିତ ସିଆର୍ସିସି, ପରୀକ୍ଷା ପରିଚାଳନାରେ ନିୟୋଜିତ ଇନଭିଜିଲେଟର ଓ ସ୍ୱେଚ୍ଛାସେବୀ ଶିକ୍ଷକମାନେ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ବିଶେଷ କରି ଅଧାରୁ ପାଠପଢ଼ା ଛାଡ଼ିଥିବା ଶିକ୍ଷାର୍ଥୀ ତଥା ସାଧାରଣ ଜନତାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ପରୀକ୍ଷା ଚାଲିଥିବା ବିଭିନ୍ନ କେନ୍ଦ୍ରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ପରିଦର୍ଶନ କରି ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ କରିଥିଲେ । ପରୀକ୍ଷା ଶେଷ କରିଥିବା ଶିକ୍ଷାର୍ଥୀମାନଙ୍କୁ ସେମାନେ ଶିକ୍ଷାର ଗୁରୁତ୍ୱ ଓ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଏଥିସହ ବ୍ଲକର ସମସ୍ତ ସିଆର୍ସିସି ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ । ଶିକ୍ଷାରୁ ବଞ୍ଚିତ କିମ୍ବା ଅଧାରୁ ପାଠପଢ଼ା ଛାଡ଼ିଥିବା ଲୋକଙ୍କୁ ପୁନର୍ବାର ଶିକ୍ଷାର ପରିସରକୁ ଆଣିବା ଦିଗରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।