
- ମତ୍ସ୍ୟସମ୍ପଦର ଅଭିବୃଦ୍ଧି ନେଇ ଆଲୁମିନ୍ ମିଟ୍-୨୦୨୫ ଆୟୋଜିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟସମ୍ପଦର ଅଭିବୃଦ୍ଧି କ୍ଷେତ୍ରରେ ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କର ଭୂମିକା ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଫିସେରୀ କଲେଜର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର୍ ପି.ସି. ଥମାସ୍ କହିଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ସୌଜନ୍ୟରେ ତଥା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଆଲୁମିନ ମହାସଂଘ (ଓଡ଼ିଶା) ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଆଲୁମିନଟ ତଥା ଦକ୍ଷତା ବୃଦ୍ଧି କର୍ମଶାଳା ଗତ ରବିବାର କଲେଜ ଡିନ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ଅବସରପ୍ରାପ୍ତ ପ୍ରଫେସର, ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତି ବିଶେଷ୍ୟ ଏବଂ ଶତାଧିକ ପୂରାତନ ଛାତ୍ରଛାତ୍ରୀ, ୨ଶହରୁ ଉର୍ଦ୍ଧ୍ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ଏକ ଦକ୍ଷତା ଭିତ୍ତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ମତ୍ସ୍ୟଚାଷୀମାନଙ୍କୁ ସ୍ୱାବଲମ୍ବୀ କରାଇବା ସାଂଗକୁ ନିଜେ ନିଜେ ଜଣେ ଜଣେ ବଡ଼ ବ୍ୟବସାୟୀ ତଥା ନିଜେ ସ୍ୱାବଲମ୍ବୀ ହୋଇ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହା ଯେ’ ପୂରାତନ ଛାତ୍ରଛାତ୍ରୀଙ୍କର ଦକ୍ଷତା ପ୍ରତିପାଦନ ଏବଂ ଭୂମିକା ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ହୋଇପାରିଛି ବୋଲି ମଧ୍ୟ ମତପ୍ରକାଶ ପାଇଛି । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଛାତ୍ର ସଂଘର ସଭାପତି ମାନସ ରଞ୍ଜନ ମହାନ୍ତି , ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ହାଇଦ୍ରାବାଦ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼ଃ. ବିଜୟ କୁମାର ବେହେରା, ହାଇଦ୍ରାବାଦ ସ୍ଥିତ ଅଭାନ୍ତି ଫିଡ୍ସ ଲିଃ. (ଯାନ୍ତ୍ରିକ ଓ ବଜାର)ର ସାଧାରଣ ପରିଚାଳକ ଶ୍ରୀନିବାସ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଏହାର ତାତ୍ପର୍ୟ୍ୟ ବୁଝାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କର୍ମଶାଳାରେ ପ୍ରାକ୍ତନ ଛାତ୍ର ରମାକାନ୍ତ ନାୟକ, ପ୍ରଫେସର ଜୟ ପ୍ରକାଶ ସାହୁ ଏବଂ ପ୍ରାକ୍ତନ ତଥା ଅବସରପ୍ରାପ୍ତ ଅଧ୍ୟାପକ ଗଣ ଯୋଗଦେଇ ଖୁବ୍ ପରିଶ୍ରମ କଲେ ଜଣେ ସଫଳତାର ପାହାଚରେ ପହଞ୍ଚି ପାରିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ପାଦକ ତଥା ସହକାରୀ ପ୍ରଫେସର ଡ଼ଃ. ମନୋଜ କୁମାର ତ୍ରିପାଠୀ, ଅଧ୍ୟାପକ ଡ଼ଃ. ଧରିତ୍ରୀ ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।