csstore

ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗିର ରେଳ ଷ୍ଟେସନରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

ସମ୍ବଲପୁର, (କେପିଏନ୍‌ଏସ୍‌) : ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ୧୩ ନଭେମ୍ବର ୨୦୨୪ରେ ବଲାଙ୍ଗିର ରେଳଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା । ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନ୍‌ଡିଆର୍‌ଏଫ୍‌), ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ, ସ୍ଥାନୀୟ ପ୍ରଶାସନ, ରାଜ୍ୟ ଅଗ୍ନିଶମ ସେବା, ରାଜ୍ୟ ସ୍ୱାସ୍ଥ୍ୟ ସେବା, ରେଳ ସ୍କାଉଟ୍ସ ଆଣ୍ଡ ଗାଇଡ୍, ସ୍ଥାନୀୟ ଏନ୍‌ଜିଓ ଏବଂ ରେଳ ବିଭାଗର ସମସ୍ତ ବିଭାଗ ଅଂଶଗ୍ରହଣ କରିଥିଲେ । ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଆଧୁନିକ ଯନ୍ତ୍ରପାତି ଯଥା ରେଳ କୋଚ କାଟିବା ମେସିନ, ଅଗ୍ନି ନିର୍ବାପକ ଏବଂ ଶୀଘ୍ର ଚିକିତ୍ସା ସ୍ଥାନାନ୍ତର ଭଳି ଆଧୁନିକ ଉପକରଣ ଇତ୍ୟାଦି ବ୍ୟବହାର କରାଯାଇଥିଲା । ସମ୍ବଲପୁର ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂହ ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସ୍ଥାନ ପରିଦର୍ଶନ କରି ସମସ୍ତ ଅଂଶଗ୍ରହଣକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ସିଂହ କହିଛନ୍ତି ଯେ, ଏହି ଅଭ୍ୟାସ ରେଳବାଇ ଏବଂ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାକୁ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ଗଭୀର ତଥା ସମନ୍ୱିତ ମୁକାବିଲା କରିବାରେ ସାହାଯ୍ୟ କରିବ ଯାହା ଦ୍ୱାରା ପୀଡିତଙ୍କ ଅସୁବିଧା କମ୍ ହୋଇପାରିବ ଏବଂ ସମସ୍ତ ଏଜେନ୍ସିର ପ୍ରତିକ୍ରିୟା ସମୟକୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରିବ । ସମ୍ବଲପୁର ରେଳମଣ୍ଡଳର ବରିଷ୍ଠ ନିରାପତ୍ତା ଅଧିକାରୀ ଏସ୍‌. ଏସ୍‌. ନାୟକ ବିପର୍ଯ୍ୟୟ ପରିଚାଳନାରେ ଯୋଗ ଦେଇଥିବା ସମସ୍ତ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.