jayashree

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗ ଗରିବ ପରିବାର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତ ବୋରୋବାହାଲ ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାରଦୁଆର ହେଉଥିବା ଦେଖିବାକୁ ମିଳିଛି । ବୋରୋବାହାଲ ଗାଁର ଜଗତ ପୁଟେଲଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଘର ସଜାଡ଼ିବା ପାଇଁ ମଧ୍ୟ ନିଜର ସକ୍ଷମ ନାହିିଁ । ବିଭିନ୍ନ ସମୟରେ ପକ୍କା ଘର ପାଇବା ପାଇଁ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଘରେ ତାଙ୍କ ସ୍ତ୍ରୀ ଦଶୁମତି ପୁଟେଲ ଓ ଝିଅ ସାଇରା ପୁଟେଲଙ୍କୁ ନେଇ ଏହି ଗରିବ ପରିବାର । ଘର ଭାଙ୍ଗିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଜଗତ ପୁଟେଲ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାରକୁ ରାସନ କାର୍ଡ କି ପକ୍କା ଘର ମିଳିନି ଯଦ୍ୱାରା ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.