
ବରଗଡ଼, (ମୁନ୍ନା ସାହୁ) : ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦକୁ ମନୋନୀତ କରାଯାଇଛି । ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆପ୍ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଭବାନୀ ପ୍ରସାଦ ସାହୁ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟିର ସଂଗଠନ ସୁଦୃଢ଼ କରିବା, ଜନସମସ୍ୟା ଉଠାଇବା ଏବଂ ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି । ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ଆପ୍ର ଏହି ମନୋନୟନ ପ୍ରକ୍ରିୟାରେ ସମ୍ପାଦକ ସ୍ୱରୂପ ଭୋଇ ସ୍ୱାଗତ କରିବା ପରେ ଅତାବିରା ବିଧାନସଭାର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ ଶ୍ରୀ ସାହୁଙ୍କ ପ୍ରସ୍ତାବ ଦେଇଥିଲେ ଓ ଭଟଲି ବିଧାନସଭାର ସଂଯୋଜକ ସାହାରୁଖ ଲୋଧିଆ ସମର୍ଥନ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁରରୁ ଲାଲମଣି ଲୁଗୁନ ଓ ଗୋପବନ୍ଧୁ ଜଗଦଲା ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ମନୋନୟନ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶା ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ୱର ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପିତ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି । ନିଜ ପ୍ରତିକ୍ରିୟାରେ ଭବାନୀ ପ୍ରସାଦ ସାହୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ମାନ ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ । ସେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମରିୟମ ବାର୍ଲା, ଅସିତ ସାହୁ, ଗୌତମ ମହାନନ୍ଦ, ଧର୍ମରାଜ ମେହେର, ସରିତା ସୁନା, ପ୍ରଦୀପ ବିଶ୍ୱାଳ, ମିଳୁ ନାଗ, ସୂର୍ଯ୍ୟ ଭୋଇ, ଅନିଲ ତାଣ୍ଡିଆ, ମମତା ବେହେରା, ସୁବଳ ପ୍ରଧାନ, ଏମ ଏ ସାଲାଉଦ୍ଦିନ, ରାଜୀବ ସାହୁ, ସୁବଳ କହରା, ମିଲୁ ପ୍ରଧାନ, ଅଭିଳାଷ ସୁନା, ସନାତନ ନାଗ ଉପସ୍ଥିତ ଥିଲେ ।