csstore

ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୀତିନିଷ୍ଠ ସାଧକ ତଥା ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀ (୮୮)ଙ୍କ ସୋମବାର ସକାଳ ୭ଟା ୧୫ ମିନିଟ୍ ସମୟରେ ତାଙ୍କ ବଲାଙ୍ଗିର ଆଦର୍ଶପଡା ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ପ୍ରାୟ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ହୋଇ ଘରେ ଚିକିତ୍ସିତ ହେଉଥିଲେ । ୨୧ ଫେବୃୟାରୀ ୧୯୩୬ ମସିହାରେ ଜନ୍ମିତ ସ୍ୱର୍ଗତ ପାଢ଼ୀ ଜଣେ ମେଳାପୀ, ମିଷ୍ଟଭାଷୀ ଏବଂ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚତ ଥିଲେ । ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ମେଣ୍ଡା, ଲଛିପୁର ନିକଟ ଅସୁରମୁଣ୍ଡା, ସାଗରପାଲି ଏବଂ ତୁଷରା ନୂଆପଡା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ସ୍କୁଲରେ ସେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରିଥିଲେ । ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ଏବଂ ସେମାନଙ୍କ ଶୈକ୍ଷିକ ଉତ୍ତରଣ ଦିଗରେ ସେ ନିଷ୍ଠାବାନ ଏବଂ ଉତ୍ସର୍ଗୀକୃତ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ମେଣ୍ଡା ଗାଁର ମୂଳ ନିବାସୀ ସ୍ୱର୍ଗତ ପାଢ଼ୀ ମେଣ୍ଡା ସେବାଶ୍ରମରେ ଦୀର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ୧୯୯୬ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଚାକିରୀରୁ ଅବସର ପରେ ମେଣ୍ଡା ଗାଁର ଜଗନ୍ନାଥ ମନ୍ଦିର ଓ ଗୋପାଲଜୀ ମଠ ସହ ଓତଃପ୍ରୋତ ଭାବେ ଜଡିତ ରହି ସେ ଧାର୍ମିକ ଓ ଆଧ୍ୟାତ୍ମିକ ସଚେତନତା ଦିଗରେ କାର୍ଯ୍ୟ କରିଥିଲେ । ମେଣ୍ଡା ଅଞ୍ଚଳର ଶିକ୍ଷା, ସାହିତ୍ୟ ଏବଂ ସାଂସ୍କୃତିକ ଜାଗରଣରେ ମଧ୍ୟ ସକ୍ରିୟ ଦାୟିତ୍ୱ ତୁଲାଇ ଆସିଥିଲେ । ମୃତ୍ୟୁ ବେଳକୁ ତାଙ୍କ ଚାରି ପୁଅ ଅଶୋକ, ଅରୁଣ, ରମେଶ, ରାଜେଶ, ଚାରି ଝିଅ ଆହ୍ଲାଦିନୀ, ଇନ୍ଦିରା, ସବିତା, ସୁନୀତା, ଚାରି ବୋହୂ ଓ ଚାରି ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ଡା. ଅଶ୍ୱିନୀ ପୂଜାରୀ, ମୋହନ ଝାଙ୍କର, ଇଂ କୃପାସିନ୍ଧୁ ପାଢ଼ୀ, ସୁରେନ୍ଦ୍ର ପର୍ଡିଆ, ଦେବେନ୍ଦ୍ର ପାଣିଗ୍ରାହୀ, ଅରୁଣ ମିଶ୍ର, ରାମ ଦାଶ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ସଞ୍ଜୀବ କୁମାର ନାଏକ, ଅସିତ୍ ଷଡଙ୍ଗୀ, ସୋମନାଥ ଯୋଷୀ, ବ୍ୟାସଦେବ ନନ୍ଦ, ସଞ୍ଜୀବ ଯୋଷୀ, ରାଜେଶ ଝାଙ୍କର, ଲବ ସାହୁ, କାହ୍ନୁ କର୍ଣ୍ଣ, ବେଣୁ ଫରିକାର, ଆଶୁତୋଷ ପାଣିଗ୍ରାହୀ, ବୀରେନ୍ଦ୍ର କୁମାର ଝାଙ୍କର ଓ ଅନ୍ୟମାନେ ଶ୍ମଶାନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ଜ୍ୟେଷ୍ଠପୁତ୍ର ସଫଳ ଶିଳ୍ପଦ୍ୟୋଗୀ ଅଶୋକ କୁମାର ପାଢ଼ୀ ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.