pakka

ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ

bbehera
  • ଜିଲ୍ଲାର ବିକାଶ ପାଇଁ ସକାରାତ୍ମକ ମନୋଭାବ ପୋଷଣ ପୂର୍ବକ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପରିଷଦ ସଭାଗୃହରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ଦିବସ ପାଳନ ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦିବସ ପାଳନର ତାତ୍ପର୍ଯ୍ୟ କହିବା ସହ ଦିବସର ମହତ୍ୱକୁ ସବୁ ବର୍ଗରେ ଗୁରୁତ୍ୱ ଦେଇ ସମସ୍ତେ ନିଜ ନିଜ ସ୍ତରରେ ସମାଜ ବିକାଶ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରି ଆଚରଣ ଓ ଉଚ୍ଚାରଣରେ ଦୃଢ଼ ହେବା ସହ ନିଃସ୍ୱାର୍ଥ ଭାବରେ ଜିଲ୍ଲା ତଥା ସମାଜ ବିକାଶରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଦିବସ ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ଝସକେତନ ବଘାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଆ ଆଧ୍ୟପକ ସିଦ୍ଧାର୍ଥ ମହାବିଦ୍ୟାଳୟ ବିନିକା ନିରଞ୍ଜନ ପାଣ୍ଡିଆ ଯୋଗଦାନ କରି ଯୋଗଜନ୍ମା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୀବନ ଦର୍ଶନ ଓ ସମାଜ ପ୍ରତି ଦେଇଥିବା ବିଶେଷ ଅବଦାନ ଉପରେ ଆଲୋକପାତ କରି ତାଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜକୁ ବିକାଶ ମାର୍ଗରେ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପରିଷଦ ପ୍ରୋଗ୍ରାମ ମ୍ୟାନେଜର ଶୈବାଳିନୀ ପଟ୍ଟନାୟକ ସଭା ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହ ପ୍ରାରମ୍ଭରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ଓଡ଼ିଶାର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଳା ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ରାଜ୍ୟ ସ୍ତରରେ ମନୋନୀତ ପଞ୍ଚାୟତିରାଜ ତଥା ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ ଅବଦାନ ହେତୁ ଅତିଥିବୃନ୍ଦ ସୁବର୍ଣ୍ଣପୁର ଜିଲ୍ଲାର ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଉଲୁଣ୍ଡା ବ୍ଲକର ଉଲୁଣ୍ଡା ଗ୍ରାମପଞ୍ଚାୟତକୁ ଏକ ଲକ୍ଷ ପଚାଶ ହଜାର, ବିନିକା ବ୍ଲକ ଅନ୍ତର୍ଗତ ସଂକରା ଗ୍ରାମପଞ୍ଚାୟତକୁ ଏକ ଲକ୍ଷ ପଚିଶ ହଜାର ଓ ତରଭା ବ୍ଲକର ଝାରତରଭା ଗ୍ରାମପଞ୍ଚାୟତକୁ ଏକ ଲକ୍ଷ ଟଙ୍କାର ଚେକ୍ ସହ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ପ୍ରଦାନ ପୂର୍ବକ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗ ଦ୍ୱାରା ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସମ୍ମିଳିତ ସଫଳ କାହାଣୀ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ସମାରୋହରେ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ଜିଲ୍ଲାର ପଞ୍ଚାୟତିରାଜ ପ୍ରତିନିଧି, ବିଭାଗୀୟ ଅଧିକାରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one − one =