ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ : ସମ୍ବର୍ଦ୍ଧିତ ହେଲେ ରୋତ୍‌, ବଙ୍ଗୋମୁଣ୍ଡା ଏବଂ ଗନ୍ଧର୍ଲ୍ଲା ଗ୍ରାମ ପଞ୍ଚାୟତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ -୨୦୨୪ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱାଗତ ଭାଷଣରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜିର ଦିନକୁ ପଂଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଥିବା ଉପରେ ଆଲୋଚ୍ୟ ପ୍ରଦାନ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ କରିଥିଲେ । ଗଣତନ୍ତ୍ରରେ ଜନସାଧାରଣଙ୍କୁ ଯେଭଳି ବିଭିନ୍ନ ସରକାରୀ ସେବା ସୁବିଧାରେ ମିଳିପାରିବ ତାହା ସବୁଠୁ ବଡ ଦାୟିତ୍ୱ । ପଂଚାୟତିରାଜ ବ୍ୟବସ୍ଥା ଦ୍ୱାରା ଗ୍ରାମାଂଚଳରେ ରାସ୍ତାଘାଟଠାରୁ ଆରମ୍ଭ କରି ପକ୍କା ଘର, ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉଥିବା ସେ କହିଥିଲେ । ଜୀବନ ଜୀବିକା ପାଇଁ ଗ୍ରାମାଂଚଳରେ ଅନେକ କାର୍ଯ୍ୟ କରାଯାଉଛି । ଏହି ସବୁ କାର୍ଯ୍ୟର ସଫଳତା ଗ୍ରାମରେ ଅନେକ ପରିବର୍ତ୍ତନ ଆଣିପାରିଛି ଏବଂ ଗାଁର ରୂପାନ୍ତର ହୋଇଛି । ଗ୍ରାମ ବିକାଶରେ ଆଜି ମହିଳାମାନେ ସାମିଲ ହୋଇଛନ୍ତି । ଗ୍ରାମରେ ବିକାଶର ଛବି ଉଜ୍ଜ୍ୱଳ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଂଚାୟତିରାଜ ବ୍ୟବସ୍ଥା ପ୍ରକୃତ ସଂଘୀୟ ବ୍ୟବସ୍ଥା ବୋଲି ସମ୍ବୋଧନ କରିଥିଲେ । ଯୁବବର୍ଗ କାହାର ଦୟାର ପାତ୍ର ନ ହୋଇ ଆଦର୍ଶ ବନିବା ବିଜୁ ବାବୁଙ୍କଠୁ ଶିଖିବାକୁ କହିଥିଲେ । ଓଡିଶାରେ ପଂଚାୟତିରାଜ ବ୍ୟବସ୍ଥାର ପ୍ରଚଳନ ଏବଂ ଶିଳ୍ପ ଭିତ୍ତିଭୂମିର ପ୍ରତିଷ୍ଠା କ୍ଷେତ୍ରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଏ ଜାତି ସବୁଦିନ ମନେ ରଖିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବିବେଚିତ ତିନୋଟି ବ୍ଲକ ଖପ୍ରାଖୋଲ, ପାଟଣାଗଡ଼, ସଇଁତଲାର ଭିଡିଓ ପ୍ରଦର୍ଶିତ ହୋଇଥିଲା । ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଆଧାରରେ ତୃଣମୂଳ ସ୍ତରରେ ସର୍ବାଙ୍ଗୀନ ଉର୍ଣ୍ଣତି ନିମନ୍ତେ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଗ୍ରାମ ପଞ୍ଚାୟତ ଗୁଡିକୁ ପୁରସ୍କାର ରାଶି ଏବଂ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ରୋତ୍‌ ଗ୍ରାମ ପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର କରି ଏକ ଲକ୍ଷ ପଚାଶ ହଜାର ଟଙ୍କା, ବଙ୍ଗୋମୁଣ୍ଡା ପଞ୍ଚାୟତ ଦ୍ଵିତୀୟ ସ୍ଥାନ ଅଧିକାର କରି ଏକ ଲକ୍ଷ ପଚିଶି ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଗନ୍ଧର୍ଲ୍ଲା ଗ୍ରାମ ପଞ୍ଚାୟତ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ସରପଞ୍ଚ ଗ୍ରହଣ କରିଥିଲେ । ତିନିଜଣ ଅଙ୍ଗନୱାଡି କର୍ମୀକୁ ମଧ୍ୟ ଭଲ କାମ ପାଇଁ ଅର୍ଥ ପୁରସ୍କାର ଦିଆ ଯାଇଥିଲା । ସ୍ୱାଗତ ଅଭିଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ-ସଦସ୍ୟା, ବିଭାଗୀୟ ଅଧିକାରୀମାନଙ୍କ ସମେତ ଦକ୍ଷତା ବିକାଶ ସଂସ୍ଥାନର ଶିକ୍ଷାନବୀଶ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + 17 =