ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତାଇ ଥାଏ ବୋଲି ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଆଜିର ବ୍ୟୟବହୁଳ ସମୟରେ ମିତବ୍ୟୟିତା ଅପରିହାର୍ଯ୍ୟ ହୋଇ ପଡିଥିବା ବେଳେ ପ୍ରଚଳିତ ସ୍ୱଳ୍ପ ସଂଚୟ ଯୋଜନାକୁ ନେଇ ଜନ ଜାଗରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ତତ୍ୱାବଧାନରେ ପରିଚାଳିତ ସଚେତନତା ଶୋଭାଯାତ୍ରା ତଥା ସଂଚୟ ରଥ ପରିକ୍ରମା କାର୍ଯ୍ୟକ୍ରମରେ ମହାରାଜ ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ସାହାରା ଟ୍ରଷ୍ଟ ହାଇସ୍କୁଲର ଏନସିସି, ସ୍କାଉଟ, ଗାଇଡ଼, ଛାତ୍ରଛାତ୍ରୀଙ୍କ ଦ୍ୱାରା ଦିବସ ଅବସରରେ ସଚେତନତା ରାଲି ସହର ପରିକ୍ରମା କରିଥିବା ବେଳେ ସଂଚୟ ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବ । ଅନୁଷ୍ଠିତ ଶୋଭାଯାତ୍ରା ଓ ସଂଚୟ ରଥକୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସହର ସ୍ଥିତ ଆମ୍ବେଦକର ଛକ ଠାରେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ପୋଷ୍ଟାଲ ଏଜେଣ୍ଟ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦାନ କରିଥିଲେ । ବିଭଗୀୟ କର୍ମଚାରୀ ଦୁଃଖିଶ୍ୟାମ ସେଠୀ, ସଞ୍ଜୟ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 − 5 =