mahavir

ଡାକ୍ତରଖାନା ପାଲଟିଛି ରେଫର ସେଣ୍ଟର

  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରୀପାଠୀ) : ଦିନକୁ ଦିନ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଶହ ଶହ କୋଟି ଟଙ୍କାରେ ନୂତନ ଭାବେ ନିର୍ମିତ ମୁଖ୍ୟ ଚିକିତ୍ସାଳୟରେ ଜ୍ୱର, ଖାସ, ଥଣ୍ଡା ଚିକିତ୍ସାକୁ ଛାଡିଦେଲେ ଏହା ଏବେ କେବଳ ରେଫର ସେଣ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ କେବଳ ଆମ୍ବୁଲାନ୍ସ ଯିବାଆସିବା କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ତା’ ଠାରୁ ଆହୁରି ଅତିଷ୍ଠ କରୁଛି କର୍ମଚାରୀଙ୍କ ବ୍ୟବହାର । ଗତକାଲି ଏକ ଅଭାବନୀୟ ଘଟଣା କ୍ରମେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଡାକ୍ତର ଶିଶୁକୁ (ଏସ୍ଏନ୍‌ସିୟୁ)ରେ ଭର୍ତ୍ତି କରିବାକୁ ଲେଖିଥିବା ବେଳେ ସେବିକା କିନ୍ତୁ ନ ଜଣାଇ ଶିଶୁକୁ ମା’ ସାଙ୍ଗରେ ବେଡରେ ରଖିଦେଲେ । ଆସ୍ତେ ଆସ୍ତେ ଶିଶୁ ପୁତ୍ରର ଅବସ୍ଥା ବିଗିଡ଼ିବା ସହ ମୃତ୍ୟୁ ହୋଇଥିଲା । ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପତ୍ରାପାଲି ଗ୍ରାମର ସୁରେନ୍ଦ୍ର ନାଏକଙ୍କ ସ୍ତ୍ରୀ ଜୟନ୍ତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୩ ତାରିଖ ଦିନ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଏଠାରେ ଅସ୍ତ୍ରୋପଚାର ପରେ ତାଙ୍କର ଏକ ଶିଶୁପତ୍ରକୁ ଜନ୍ମ ହୋଇଥିଲା । କିନ୍ତୁ ଆବଶ୍ୟକ‌ତା ଠାରୁ ଓଜନ କମ ଥିବାରୁ ଡାକ୍ତର ଶିଶୁକୁ ସ୍ୱତନ୍ତ୍ର ଶିଶୁ ଯତ୍ନ ୟୁନିଟ (ଏସ୍ଏନ୍‌ସିୟୁ)ରେ ଭର୍ତ୍ତି କରିବାକୁ ଲେଖିଥିବା ପରିବାର ଲୋକେ କହୁଥିବା ବେଳେ ସେଠାରେ କାର୍ଯ୍ୟରତ ସେବିକା ଉକ୍ତ ଶିଶୁକୁ ଏସ୍ଏନସିୟୁକୁ ନ ପଠାଇ ମା’ ସାଙ୍ଗରେ ବେଡରେ ରଖିବା ସହ କିଛି ଟୀକା ଦେଇଥିଲେ । ପରବର୍ତ୍ତୀ ଦିନ ଶିଶୁକୁ ପୁଣି ଟୀକା ଦେବା ପାଇଁ ନେଇଥିବାବେଳେ ଟୀକା କେନ୍ଦ୍ରରେ ଟୀକା ଦେଉଥିବା ସେବିକା ‘ଶିଶୁକୁ ଏସ୍ଏନ୍‌ସିୟୁ ରଖିବାକୁ ଡାକ୍ତର ଲେଖିଛନ୍ତି । ତୁମେ କାହିଁକି ରଖିଲ ନାହିଁ ବୋଲି ଗାଳି ଦେଇଥିବା କହିଛନ୍ତି ସୁରେନ୍ଦ୍ର । ଆମେ ଅପାଠୁଆ ଲୋକ କେମିତି ଜାଣିବୁ ନର୍ସ କହିବା କଥା ଏସ୍ଏନ୍ଏସିୟୁରେ ରଖିବା ପାଇଁ ବୋଲି ସେମାନେ ସେବିକାଙ୍କୁ କହିଥିଲେ । କିନ୍ତୁ ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଶିଶୁ ଗୁରୁତର ହୋଇ ଶେଷରେ ତା’ର ମୃତ୍ୟୁ ହୋଇଯିବା ପରେ ଡାକ୍ତରଖାନା ବାରଣ୍ଡାରେ ମୃତ ଶିଶୁ ପୁତ୍ରକୁ ଧରି ପରିବାର ଲୋକେ ରାତି ୨ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଡାକ୍ତରଖାନା ବାରଣ୍ଡାରେ ବସି ରହିଥିଲେ ସୁଦ୍ଧା କେହି ତାଙ୍କ ଗୁହାରୀକୁ କର୍ଣ୍ଣପାତ କରି ନ ଥିବା ଗୁରୁତର ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣା ସିଡିଏମଓଙ୍କ ନଜରକୁ କିଛି ସାମ୍ୱାଦିକ ଆଣିବା ପରେ ତଦନ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାଶ କହିଥିବା ବେଳେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାକୁ ଲୁଚାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କ ବିଭିନ୍ନ କାଗଜ ପତ୍ରକୁ ଏପଟ ସେପଟ କରାଯିବା ସମ୍ଭାବନା ରହିଛି । ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.