jayashree

ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଉତ୍ସାହର ସହିତ ଗୁରୁ ଦିବସ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ଏହି ପରୀପ୍ରେକ୍ଷୀରେ ଲାୟନ୍ ଦୀପକ୍ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲିର ଉଭୟ ସାଖା ସର୍ଗିଗୁଡ଼ା ଜୁନିଅର ଏବଂ ସିନିଅର ୱିଙ୍ଗସ ଚାରଭଟାରେ ଆଜି ଗୁରୁ ଦିବସ ବହୁତ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଛି । ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସର୍ବପ୍ରଥମେ ଛାତ୍ରଛାତ୍ରୀମାନେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଫୁଲ ଓ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଉପଲକ୍ଷେ ଶିକ୍ଷକଙ୍କ ଉପସ୍ଥିତିରେ ବରିଷ୍ଠ ଛାତ୍ରଛାତ୍ରୀମାନେ ଛୋଟ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ପାଠ ପଢ଼ାଇ ଥିଲେ, ଯାହା ସମସ୍ତଙ୍କ ପାଇଁ ଏକ ନୂଆ ଓ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରିଥିଲା । ଅନୁଷ୍ଠାନର ନିର୍ଦ୍ଦେଶିକା ବିଭା ରାଜ୍ ଗୁପ୍ତା, ନିର୍ଦ୍ଦେଶକ ଶଶାଙ୍କ ସାହୁ ଶିକ୍ଷକମାନଙ୍କ ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ, ଜଣେ ଶିକ୍ଷକ କେବଳ ପାଠ ପଢ଼ାଇ ଶେଷ କରନ୍ତି ନାହିଁ ବରଂ ଏକ ଛାତ୍ରଙ୍କ ଚରିତ୍ର ନିର୍ମାଣ, ମୂଲ୍ୟବୋଧ ପ୍ରଦାନ ଏବଂ ଭବିଷ୍ୟତ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଶିକ୍ଷକ ହେଉଛନ୍ତି ଜ୍ଞାନର ଦୀପ, ଯିଏ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଆଲୋକ ପ୍ରସାର କରି ସେମାନଙ୍କୁ ସଠିକ୍ ପଥରେ ଅଗ୍ରସର ହେବାରେ ସାହାଯ୍ୟ କରନ୍ତି । ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କ ଅବଦାନ ଅତୁଳନୀୟ ବୋଲି ବାର୍ତ୍ତା ପ୍ରେରଣ କରିଥିଲେ । ଏହି ପ୍ରସଙ୍ଗରେ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଚିନ୍ତାଧାରା ମଧ୍ୟ ସ୍ମରଣ କରାଯାଇଥିଲା । ରାଧାକ୍ରିଷ୍ଣନ୍ ବିଶ୍ୱାସ କରୁଥିଲେ ଯେ, ଶିକ୍ଷକମାନେ ଦେଶର ସର୍ବଶ୍ରେଷ୍ଠ ମାନଙ୍କ ମଧ୍ୟରୁ ଜଣେ, କାରଣ ସେମାନଙ୍କ ହାତରେ ହିଁ ଆଗାମୀ ପିଢ଼ିର ଭବିଷ୍ୟତ ନିହିତ ଥାଏ । ସେ ଶିକ୍ଷାଦାନକୁ ଏକ ପବିତ୍ର ଓ ମହାନ ବୃତ୍ତି ଭାବେ ବିଚାର କରୁଥିଲେ ଏବଂ ଚାହୁଁଥିଲେ ଯେ, ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ପ୍ରତି ଭୟ ନୁହେଁ, ବରଂ ପ୍ରେମ ଓ ସମ୍ମାନ ପ୍ରଦର୍ଶନ କରନ୍ତୁ, ସେମାନଙ୍କୁ ଜଣେ ଅଭିଭାବକ ଓ ବନ୍ଧୁ ଭାବେ ଗ୍ରହଣ କରନ୍ତୁ । ଏହା ସହିତ ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ଭାଷଣ ଆୟୋଜନ କରାଯାଇଥିଲା । ଯେଉଁଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଶିକ୍ଷାନୁଷ୍ଠାନର ମୁଖ୍ୟ ପରାମର୍ଶ ଦାତା ଡ. ରବିନ୍ ଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ୱର ରାଓ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ । ଶେଷରେ ସମଗ୍ର କାର୍ଯ୍ୟକ୍ରମଟି ବେଶ୍ ଆନନ୍ଦ ସହକାରେ ଛାତ୍ରଛାତ୍ରୀମାନେ ପାଳନ କରିଥିଲେ ।

Leave A Reply

Your email address will not be published.