jayashree

କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ‘ବସୁଧୈବ କୁଟୁମ୍ବମ୍’ ଶୁଦ୍ଧ ଚେତନାକୁ ପାଥେୟ କରି ନିରବଚ୍ଛିନ୍ନ ତଥା ଅପ୍ରମିତ ଉଦ୍ୟମ ଜାରି ରଖିପାରିଲେ ହିଁ ଗୁରୁ ଦିବସ ପାଳନର ମହତ୍ତ୍ୱ ପ୍ରତିପାଦିତ ହୋଇପାରିବ । ମାନବିକ ମୂଲ୍ୟବୋଧ ଅବକ୍ଷୟିଷ୍ଣୁ ଓ ସ୍ୱାର୍ଥ ବିଜଡ଼ିତ ପୃଥିବୀକୁ ନିଶ୍ଚିତ ପ୍ରଳୟରୁ ଉଦ୍ଧାର କରିବା ନିମନ୍ତେ ଶିକ୍ଷକ ମାନେ ଏକ ଅମଳିନ ଆଶାର ଆଲୋକ ବୋଲି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ଆୟୋଜିତ ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଗାଳ୍ପିକା ଶ୍ରୀମତୀ ଯାଜ୍ଞସେନୀ ସାହା ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ବରିଷ୍ଠ ହିନ୍ଦୀ ଶିକ୍ଷକ କହ୍ନେଇଲାଲ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ବିଦ୍ୟାଳୟର ଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରିଥିଲେ ଏବଂ ଉପସ୍ଥିତ ଅତିଥି ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ବନ୍ଦାପନା କରି ଆଶୀର୍ବାଦ‌ ଗ୍ରହଣ କରିଥିଲେ । ଏହା ପରେ ସେମାନେ ଗୁରୁ ଦିବସ ପାଳନର ପ୍ରାସଙ୍ଗିକତା ସମ୍ପର୍କରେ ନିଜନିଜର ଅନୁଚିନ୍ତା ପ୍ରକଟ କରିଥିଲେ । ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ମାନସୀ ନାୟକ ନିଜ ଅଭିଭାଷଣରେ ଶିକ୍ଷାର୍ଥୀ ଜୀବନରେ ଗୁରୁମାନଙ୍କର ଅତୁଳନୀୟ ଅବଦାନ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସପ୍ତମ ଶ୍ରେଣୀର ଛାତ୍ରୀ ସୋନାକ୍ଷୀ ଠାକୁର ପରିଚାଳନା କରିଥିଲେ ଏବଂ ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷା କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.