ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ବନ ବିଭାଗ ତଥା ଓଡ଼ିଶା ପରିବେଶ ସମିତି ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମାସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ରେଞ୍ଜ ବନପାଳ ମନ୍ମଥ ପରିଛା ମୁଖ୍ୟ ଅତିଥି ଭାବେ ଏବଂ ଗିରିଜନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷଚନ୍ଦ୍ର ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା, ପ୍ରାକୃତିକ ସନ୍ତୁଳନ ଓ ଭବିଷ୍ୟତ ପିଢ଼ି ପାଇଁ ସବୁଜ ଭାରତ ଗଠନରେ ବନ ମହୋତ୍ସବର ଉପାଦେୟତା ବିଷୟରେ ଆଲୋକପାତ କରିଥିବା ବେଳେ ବନ ମହୋତ୍ସବ ଆମକୁ ସ୍ମରଣ କରାଏ – ପ୍ରତ୍ୟେକ ଗଛ ହେଉଛି ଆମର ଜୀବନର ରକ୍ଷକ । ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ପ୍ରାକୃତିକ ବିପଦକୁ ରୋକିବା ପାଇଁ ବୃକ୍ଷରୋପଣ ହେଉଛି ସର୍ବୋତ୍ତମ ଉପାୟ ବୋଲି ପ୍ରଧାନ ଶିକ୍ଷକ ଶ୍ୟାମାସୁନ୍ଦର ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସ୍ଥାନୀୟ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ପଚାଶଟି ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
