ନୟାଗଡ଼, (କେପିଏନ୍ଏସ୍) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଖଳିସାହି ପଞ୍ଚାୟତ କୋଟପୋଖରୀ ଗ୍ରାମରେ ଦୀର୍ଘ ଦିନ ଚୋରାରେ ଦେଶୀ ମଦ ବେପାର ଚଳାଇ ଆସୁଥିବା ଅଖିଳ ସ୍ୱାଇଁଙ୍କ ଦେଶୀ ମଦ ବୋଝେଇ ହୋଇଥିବା ଏକ ସ୍କୁଟି ଗାଡିକୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ଖଣ୍ଡପଡ଼ା ପୁଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଗ୍ରାମବାସୀଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଶୀ ମଦ ବୋଝେଇ ହୋଇଥିବା ସ୍କୁଟିଟିକୁ ମଦ ବେପାରୀଙ୍କ ବାସଗୃହ ସମ୍ମୁଖରୁ ଜବତ କରି ଖଣ୍ଡପଡ଼ା ଥାନାକୁ ନେଇଥିବା ଜଣାପଡିଛି । ତେବେ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଏ ସଂର୍ପକରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଖଣ୍ଡପଡ଼ା ଥାନାଧିକାରୀ କୃତିବାସ ହରିଚନ୍ଦନଙ୍କ ଠାରୁ ପ୍ରକାଶ । ସୂଚନାଯୋଗ୍ୟ କୋଟପୋଖରୀ ଗ୍ରାମବାସୀଙ୍କ ବାରମ୍ବାର ବାରଣ ସତ୍ତ୍ବେ ମଧ୍ୟ ସଂପୃକ୍ତ ମଦ ବେପାରୀ ଜଣକ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରି ଭୟଭୀତ କରିବା ସହ ନିର୍ବିଘ୍ନରେ ଚୋରାରେ ଦେଶୀ ମଦ ବେପାର ଚଳାଇ ଆସୁଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି । ଏହି ଘଟଣା ଏବେ ଖଳିସାହି ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି ।
Prev Post
