pakka

ସଙ୍ଗୀତ ଓ ନୃତ୍ୟ ନିର୍ଦେଶକ ପବିତ୍ର ପରିଡ଼ାଙ୍କ ପରଲୋକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଜଣାଶୁଣା ସଙ୍ଗୀତ ଓ ନୃତ୍ୟ ନିର୍ଦେଶକ ପବିତ୍ର କୁମାର ପରିଡ଼ାଙ୍କ ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ଚାଇଁପୁର ପଞ୍ଚାୟତ ଷଡ଼ାଙ୍ଗୋଇ ଗାଁରେ ଜନ୍ମିତ ସ୍ୱର୍ଗତ ପରିଡ଼ାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଗତକାଲି ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି । ସ୍ୱର୍ଗତ ପରିଡ଼ା କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରୀ କରିଥିଲେ ଓ ଡ଼ାକ ବିଭାଗରେ ବରିଷ୍ଠ ଡାକପାଳ ଥିଲେ । ସ୍ୱର୍ଗତ ପରିଡ଼ାଙ୍କ ଏକାଧାରରେ ଜଣେ ସମାଜସେବୀ, ନାଟ୍ୟ, ନୃତ୍ୟ ଓ ସଙ୍ଗୀତ ନିର୍ଦେଶକ ଥିଲେ । ସେ ଡ଼େଲାଙ୍ଗ ମହୋତ୍ସବର ପୁରୋଧା ଥିଲେ । ଡ଼େଲାଙ୍ଗ ମହୋତ୍ସବର ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ସଙ୍ଗୀତ ସ୍ୱର୍ଗତ ପରିଡ଼ାଙ୍କ ରଚିତ ଓ ନିର୍ଦେଶିତ । ନିଆରା ସଙ୍ଗୀତ ଓ ନାଟ୍ୟ ରଚନା ଏବଂ ସମାଜସେବା ପାଇଁ ସେ ରାଜ୍ୟପାଳଙ୍କ ସହ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନଙ୍କ ଦ୍ୱାରା ଅନେକ ଥର ପ୍ରଶଂସିତ ଓ ସମ୍ମାନିତ ହୋଇଛନ୍ତି । ପଲ୍ଲବୀ ନୃତ୍ୟ ଓ ସଙ୍ଗୀତ ପରିଷଦ ଜରିଆରେ ସେ ଅନେକ କଳାକାର ତିଆରିଛନ୍ତି, ଯେଉଁମାନେ ଆଜି ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛନ୍ତି । ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ନବଯୌବନ ଦର୍ଶନ ଭଜନ ସନ୍ଧ୍ୟାରେ ସବୁ ବର୍ଷ ତାଙ୍କ ଅନୁଷ୍ଠାନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଆସିଛନ୍ତି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏକମାତ୍ର ପୁଅ ଅଭିଷେକ ଆନନ୍ଦ ପରିଡ଼ା ମୁଖାଗ୍ନି ଦେଇଥିଲେ । ପତ୍ନୀ ମଂଜୁବାଳା ପରିଡ଼ା, ବଡ଼ ଭାଇ ଅବସରପ୍ରାପ୍ତ ରେଶମ ଶିଳ୍ପ ଅଧିକାରୀ ଜିତେନ୍ଦ୍ର କୁମାର ପରିଡ଼ା, ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ପରିଡ଼ା, ଭାଉଜ ପ୍ରଭାସିନୀ ପରିଡ଼ା, ବିନୋଦିନୀ ପରିଡ଼ା, ଝିଅ ମୀରା ଅନନ୍ଦମୟୀ ପରିଡ଼ା, ଝିଆରୀ ସ୍ମୃତିସ୍ନିଗ୍ଧା ସାମନ୍ତରାୟ, ସ୍ଥିତିପ୍ରଜ୍ଞା ରାଉତ, ଅନୁରାଧା ପରିଡ଼ା, ପୁତୁରା ବିଶ୍ୱଜିତ ପରିଡ଼ା, ଅବିନାଶ ପରିଡ଼ା, ଜ୍ୱାଇଁ ସୁଶାନ୍ତ ସାମନ୍ତରାୟ, ବିକାଶ ରାଉତ, ସୁମନ୍ତ ପରିଡ଼ା, ରତିକାନ୍ତ ଦାସ, ଭଣଜା, ଭାଣେଜୀ, ନାତି, ନାତୁଣୀ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତି ଥିଲେ । ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରୀ ମିଶ୍ର, ଅଭିନନ୍ଦନିକା ସମ୍ପାଦକ ଶ୍ୟାମପ୍ରକାଶ ସେନାପତି, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସର ଅଧ୍ୟାପକ ବିଶ୍ୱନାଥ ଦାଶ, ସାମ୍ୱାଦିକ ଶ୍ୟାମପ୍ରକାଶ ପ୍ରକାଶ ସେନାପତି, ସତ୍ୟନାରାୟଣ ରାଉତରାୟ, ସନ୍ତୋଷ କୁମାର ବରାଳ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave A Reply

Your email address will not be published.

20 − eighteen =